ଭୁବନେଶ୍ବର, ୧୧ ମାର୍ଚ୍ଚ:ପୂର୍ବତନ ବାଲେଶ୍ୱର ସାଂସଦ ଏବଂ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ନିଜ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ଓ ଦଳୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।ମଙ୍ଗଳବାର ରବିନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ସେ କହିଥିଲେ ଯେ, କେତେକ ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ପାଇଁ ବିଜେଡିରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛନ୍ତି। ବିଜେଡି ସହ ଦୀର୍ଘ ସମୟର ସମ୍ପର୍କ ତାଙ୍କ ପାଇଁ ଏକ ସ୍ମରଣୀୟ ଯାତ୍ରା ହେବ ବୋଲି ସେ ଉଲ୍ଲେଖ କରିଥିଲେ।ରବିନ୍ଦ୍ର ଜେନା ୨୦୧୪ ମସିହାରେ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଲୋକସଭା ଟିକେଟ ଦେଇନଥିଲା, କିନ୍ତୁ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ସୁବାସିନୀ ଜେନା ସେହି ଆସନରୁ ବିଜୟୀ ହୋଇ ବର୍ତ୍ତମାନ ବିଧାୟକ ଅଛନ୍ତି।ବିଜେପିରେ ଯୋଗ ଦେବା ପରେ ରବିନ୍ଦ୍ର ଜେନା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି।ସେ କହିଥିଲେ, ଦୀର୍ଘ ୧୨ ବର୍ଷ ଧରି ବିଜେଡି ସହ ତାଙ୍କ ସମ୍ପର୍କ ଥିଲା, କିନ୍ତୁ କେତେକ ମୁଦ୍ଦା ଓ ପରିସ୍ଥିତି ପାଇଁ ଦଳ ଛାଡ଼ିବାକୁ ପଡ଼ିଲା। ଓଡ଼ିଶାର ଉନ୍ନତି ବିଜେପି ବିନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।ଏହି ସମୟରେ ଆଗାମୀ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିନ୍ଦ୍ର ଜେନାଙ୍କ ବିଜେପିରେ ଯୋଗଦାନ ରାଜନୈତିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ତାଙ୍କ ପତ୍ନୀ ସୁବାସିନୀ ଜେନା ବର୍ତ୍ତମାନ ବସ୍ତା ଆସନର ବିଧାୟକ ଥିବାରୁ ରାଜ୍ୟସଭା ଭୋଟିଂରେ ତାଙ୍କ ଭୂମିକା କିପରି ରହିବ ସେଥିପାଇଁ ପ୍ରଶ୍ନ ଉଠିଛି।





