ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୋଶାଖାନା ମାମଲାରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଥିବା କଥା ସମ୍ବାଦପତ୍ର ‘ଦି ଡନ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଆଜି ଇସ୍‌ଲାମାବାଦର ଏକ ‘ଟ୍ରାଏଲ୍‌ କୋର୍ଟ’ ତୋଶାଖାନା ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ଇମ୍ରାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ମଧ୍ୟ ଇମ୍ରାନ୍‌ଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଦେଇ ନ ପାରିଲେ ତାଙ୍କୁ ଅଧିକ ୬ ମାସ ଜେଲ୍‌ ଦଣ୍ଡ ହୋଇଥିବା ରିପୋର୍ଟ କରାଯାଇଛି।

ସୂଚନା ଅନୁସାରେ ଆଜି କରାଯାଇଥିବା ଶୁଣାଣିରେ ଅତିରିକ୍ତ ଜିଲ୍ଲା ତଥା ସେସନସ୍‌ ଜଜ୍‌ (ଏଡିଏସ୍‌ଜେ) ହୁମାୟୁନ ଦିଲାୱାର୍‌ ରାୟ ଦେଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାମରେ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି। ପାକିସ୍ତାନର ନିର୍ବାଚନ କମିସନ୍‌ରେ ଇମ୍ରାନ୍‌ ଖାଁ ମିଥ୍ୟା ତଥ୍ୟ ଦାଖଲ କରିଥିଲେ। ଦୁର୍ନୀତି କରିଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଦାଲତଙ୍କ ରାୟ ପରେ ଇମ୍ରାନ୍‌ ଖାଁଙ୍କୁ ଗିରଫ କରିବା ପାଇଁ ଇସ୍‌ଲାମାବାଦ୍‌ ପୋଲିସ ଗିରଫ ପର୍‌ୱାନା ଜାରି କରିଛି।

ଜାରି କରିଥିବା ବିବୃତିରେ ଇମ୍ରାନ୍‌ଙ୍କ ରାଜନୈତିକ ଦଳ ‘ପିଟିଆଇ’ କହିଛି, କେବଳ ଇମ୍ରାନ୍‌ ଖାଁଙ୍କୁ ଅଯୋଗ୍ୟ ଘୋ‌ଷଣା କରି ଜେଲ୍‌ରେ ଭର୍ତ୍ତି କରିବା ପାଇଁ ଆଇନର ଏଭଳି ହାସ୍ୟାସ୍ପଦ ପଦକ୍ଷେପ ସମ୍ପୂର୍ଣ୍ଣ ଲଜ୍ଜାଜନକ ଓ ଘୃଣ୍ୟ।

ସୂଚନାଯୋଗ୍ୟ, ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ଇମ୍ରାନ ରାଷ୍ଟ୍ର ମାଲିକାନାରେ ଥିବା ଉପହାର ସବୁକୁ ବିକ୍ରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ବିଦେଶ ଗସ୍ତ କରିଥିବା ସମୟରେ ଉକ୍ତ ଉପହାରଗୁଡ଼ିକ ଗ୍ରହଣ କରିଥିଲେ। ସେ ସବୁର ମୂଲ୍ୟ ୧୪୦ ନିୟୁତ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଥିଲା ।

Related Posts