ତାମିଲନାଡ଼ୁର ପୂର୍ବତନ ସ୍ଵତନ୍ତ୍ର ପୁଲିସ୍ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁର ପୂର୍ବତନ ସ୍ଵତନ୍ତ୍ର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।ଜଣେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

୨୦୨୧ ମସିହା ଫେବ୍ରୁଆରୀ ମାସରେ ସେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ଜଣକ ଏହି ଅଭିଯୋଗ କରିଥିଲେ।ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଏଡପ୍ପାଦୀ କେ ପଲାନୀସ୍ୱାମୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ରାଜେଶ ଦାସ ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ସ୍ପର୍ଶ କରିବାକୁ ପ୍ରୟାସ କରିଥିଲେ।

ଏହି ଅଭିଯୋଗ ପାଇବା ପରେ ତତ୍‌କାଳୀନ ଏଆଇଏଡିଏମ୍‌କେ ସରକାର ରାଜେଶ ଦାସଙ୍କୁ ନିଲମ୍ବନ କରିବା ସହିତ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ। ସେତେବେଳେ ଏହି ଘଟଣା ନିର୍ବାଚନୀ ପ୍ରସଙ୍ଗ ହୋଇଯାଇଥିଲା। ତତ୍‌କାଳୀନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହି ଘଟଣାର ଆଇନତଃ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

Related Posts