ଭାରତର ସବୁଜ ବିପ୍ଳବର ଜନକ ଏମ୍.ଏସ୍‌. ସ୍ବାମୀନାଥନ୍‌ଙ୍କ ପରଲୋକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଖ୍ୟାତ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ଜନକ ମନକୋମ୍ବୁ ସମ୍ବାସିବନ୍‌ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ବାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା।

ଏମ୍‌. ଏସ୍‌. ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ।ଖାଦ୍ୟଶସ୍ୟ ଅଭାବ ‌ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସ୍ବାମୀନାଥନ୍‌ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍‌ମ୍ୟାନ୍‌ ବୋର୍ଲାଗ୍‌ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ।

‘ଜାତିସଂଘ ପରିବେଶ କାର୍ଯ୍ୟକ୍ରମ’ଦ୍ବାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବେ ପରିଚିତ ସ୍ବାମୀନାଥନ୍‌ ୧୯୬୦ ଓ ୭୦ ଦଶକରେ ସି. ସୁବ୍ରମଣିୟାମ୍‌ ଓ ଜଗଜ୍ଜୀବନ ରାମଙ୍କ ସମେତ ବିଭିନ୍ନ କୃଷିମନ୍ତ୍ରୀଙ୍କ ସହିତ ‘ସବୁଜ ବିପ୍ଳବ’ ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଫଳରେ ‘କେମିକାଲ୍‌-ବାୟୋଲୋଜିକାଲ୍‌ ଟେକ୍ନୋଲୋଜି’ ବଳରେ ଦେଶରେ ଗହମ ଓ ଧାନ ଉତ୍ପାନଦ ବୃଦ୍ଧି ପାଇବାର ପଥ ଉନ୍ମୋଚିତ ‌ହୋଇଥିଲା। ଏଥିପାଇଁତାଙ୍କୁ ୧୯୮୭ରେ ପ୍ରଥମ ‘ୱାଲର୍ଡ ଫୁଡ୍‌ ପ୍ରାଇଜ୍‌’ ମିଳିଥିଲା।

ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା, କୃଷିକ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ତାଙ୍କୁ ଅନ୍ୟାନ୍ୟ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା। ସେହିପରି ‘ଟାଇମ୍‌’ ପତ୍ରିକା ତାଙ୍କୁ ବିଂଶ ଶତାବ୍ଦୀର ୨୦ଜଣ ସବୁଠୁ ପ୍ରଭାବଶାଳୀ ଏସୀୟଙ୍କ ମଧ୍ୟରୁ ଜଣେ ବୋଲି ଉଲ୍ଲେଖ କରିଥିଲା।

ତେବେ ତାଙ୍କର ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related Posts