ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଇଟାଲୀ ଜି-୭ ଶିଖର ସମ୍ମିଳନୀରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ପହଞ୍ଚିନ୍ତି। ଜି-୭ ସମ୍ମିଳନୀରେ ବିଶ୍ବ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ।
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ ।
ବୁଧବାର ସେ ଇଟାଲୀ ଗସ୍ତରେ ବାହାରିଥିବା ବେଳେ ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଏକାଧିକ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ଓ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡମିର ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀ ଗସ୍ତ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ବ୍ୟକ୍ତିଗତ ସାକ୍ଷାତ ମଧ୍ୟ ହୋଇଛି । ଋଷ ୟୁକ୍ରେନ ଯୁଦ୍ଧ ଓ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଜାତିସଂଘ ମୁଖ୍ୟ ଓ ଭାଟିକାନ୍ ସିଟି ପୋପ୍ ଫ୍ରାନ୍ସିସ୍ ପ୍ରମୁଖଙ୍କୁ ଭେଟିଥିଲେ ମୋଦି। ଗ୍ଲୋବାଲ ସାଉଥ୍ ସମସ୍ୟା ଏବଂ ସେଠାରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ପୁଣି ବିଶ୍ବନେତାଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି। ଗ୍ଲୋବାଲ ସାଉଥ୍ ବା ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଅନେକ ପଛୁଆ, ବିକାଶଶୀଳ ରାଷ୍ଟ୍ର ଏବେ ଅନିଶ୍ଚିତତା ଏବଂ ଉତ୍ତେଜନା ମଧ୍ୟରେ ଗତି କରୁଥିବାରୁ ଚିନ୍ତା ପ୍ରକଟ କରିଛି ଭାରତ।
ପ୍ରବାସୀଙ୍କ ସମସ୍ୟା, ମାନବ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବା ଏବଂ କାମଧନ୍ଦା ଉଦ୍ଦେଶ୍ୟରେ ଯେଉଁ ଦେଶର ଲୋକମାନେ ବିପଦପୂର୍ଣ୍ଣ ବିଦେଶ ଯାତ୍ରା କରୁଛନ୍ତି ସେ ଦେଶରେ ନିବେଶ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ସେହିପରି ଇଣ୍ଡୋ-ପାସିଫିକ୍ ଏବଂ ଇକୋନମିକ ସିକ୍ୟୁରିଟି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗର ଅଂଚଳରେ ସହଯୋଗ ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ ଭାରତ ଆସିବା ଲାଗି ପୋପ୍ ଫ୍ରାନ୍ସିସଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅନ୍ୟତମ ଅନ୍ତର୍ଜାତୀୟ ତଥା ଶିଖର ସଂଗଠନ ହେଉଛି ଜି-୭ । ଏଥିରେ ଆମେରିକା, ଜାପାନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ ପରି ଶକ୍ତିଶାଳୀ ୟୁରୋପୀୟ ଦେଶମାନେ ସଦସ୍ୟ ଭାବେ ରହିଛନ୍ତି । ପ୍ରତିବର୍ଷ ଏହି ସଂଗଠନର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥାଏ । ବିଭିନ୍ନ ସାମ୍ପ୍ରତିକ ଓ ବୈଶ୍ବିକ ପ୍ରସଙ୍ଗରେ ମାନସ ମନ୍ଥନ କରିବା ସହ ପାରସ୍ପରିକ ସହଯୋଗ ଓ ବୁଝାମଣା ବୃଦ୍ଧି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଚଳିତଥରର ଆୟୋଜନ ଭାର ଇଟାଲୀ ଗ୍ରହଣ କରିଥିଲା । ଚଳିତ ବର୍ଷ ଆୟୋଜକ ଇଟାଲୀ, ଭାରତ ସମେତ ୟୁକ୍ରେନ, ବ୍ରାଜିଲ, ଆର୍ଜେଣ୍ଟିନା, ତୁର୍କୀ, ୟୁଏଇ, କେନିଆ, ଆଲଜେରିଆ, ଟ୍ୟୁନିସିଆ ଏବଂ ମାରୁଟାନିଆର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲା ।





