ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ପୁରୁଣା ଘରକୁ ବହୁଡ଼ିଲେ ଗମାଙ୍ଗ ପରିବାରର । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ ।
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ଏହି ବରିଷ୍ଠ ନେତା । ଏନେଇ ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ସୂଚନା ଦେଇଛନ୍ତି। ତେବେ ଗତ ଶନିବାର ନୂଆଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଓଡିଶା ପ୍ରଭାରୀଙ୍କୁ ଭେଟି କଂଗ୍ରେସକୁ ଫେରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ଆଜି ବିଧିବଦ୍ଧ ଭାବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ । ଏହାପରେ ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ । କିନ୍ତୁ ବିଆରଏସ ଏବେ ଓଡିଶାରେ ନିଜର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା କରି ନଥିବାରୁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିଥିଲେ ଗିରିଧର ଏବଂ ତାଙ୍କ ପୁଅ । ସେହିପରି ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବା ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ତେବେ ଘର ବାହୁଡ଼ା କରିଥିବା ଏହି ନେତା ମାନେ ବାସ୍ତବରେ କଂଗ୍ରେସକୁ କେତେ ଫାଇଦା ଦେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।





