ଗ୍ୟାଙ୍ଗସ୍ ଅଫ୍ ବାସେପୁର ଫେମ୍ ଅଭିନେତା ଜିଶାନ୍ କାଦରୀଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଗ୍ୟାଙ୍ଗସ୍ ଅଫ୍ ବାସେପୁର ଫେମ୍ ଅଭିନେତା ଜିଶାନ୍ କାଦରୀଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ । ଏନେଇ ତାଙ୍କ ବିରୋଧରେ ରାଞ୍ଚି ହିନ୍ଦପିଢ଼ି ଥାନାରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ରାଞ୍ଚିରେ ଏକ ହୋଟେଲର ୨୯ ଲକ୍ଷ ଟଙ୍କା ବକେୟା ଦେଇନଥିବା ନେଇ ଜିଶାନଙ୍କ ନାଁରେ ଅଭିଯୋଗ ହୋଇଛି। ସେପଟେ ଅଭିନେତାଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପରି ନାହିଁ।

ଏହା ପୂର୍ବରୁ ମଧ୍ୟ ଜିଶାନଙ୍କ ବିରୋଧରେ ଠକେଇ ଅଭିଯୋଗ ଆସି ସରିଛି। ଖବର ଅନୁଯାୟୀ, ଶାଲିନୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ଅଭିନେତା ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଜିଶାନ କାଦରୀ ଉକ୍ତ ମହିଳାଙ୍କୁ ହତ୍ୟା କରିବାକୁ ଲଗାତର ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏହାପରେ ଜିଶାନ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ନିଜ ବିବୃତ୍ତିରେ କହିଥିଲେ, ଶାଲିନୀ ଓ ତାଙ୍କ ପୁଅ ମିଶି ଡ୍ରାମା କରୁଛନ୍ତି। ତାଙ୍କ ଛବିକୁ ବିଗାଡିବା ପାଇଁ ଚେଷ୍ଟା ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ପବ୍ଲିସିଟିି ଷ୍ଟଣ୍ଟ ବୋଲି କହିଥିଲେ। ଏଥିସହ ତାଙ୍କ ବିରୋଧରେ ଆସିଥିବା ଏହି ମିଛ ଅଭିଯୋଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଫିଲ୍ମ ଗ୍ୟାଙ୍ଗସ ଅଫ୍ ବାସେପୁରର ଷ୍ଟୋରୀକୁ ଜିଶାନ କାଦରୀ ହିଁ ଲେଖିଥିଲେ। ଏହି ଫିଲ୍ମରେ ଜିଶାନ ଡେଫିନେଟ୍ ଖାନ୍ ଭୂମିକାରେ ଅଭିନୟ କରିଥିଲେ। ଏଥିରୁ ହିଁ ତାଙ୍କୁ ବେଶ୍ ଲୋକପ୍ରିୟତା ମିଳିଥିଲା। ଫିଲ୍ମରେ ଜିଶାନଙ୍କ ସମେତ ମନୋଜ ବାଜପେୟୀ, ନବାଜୁଦ୍ଦିନ ସିଦ୍ଦିକି, ପଙ୍କଜ ତ୍ରିପାଠୀ, ରୁଚା ଚଡ୍ଡା, ହୁମା କୁରେଶି ଓ ତିଗ୍‌ମାଂଶୁ ଧୁଲିଆ ପ୍ରମୁଖ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା

Related Posts