ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପୁଲିସ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏହାସହିତ ୧୦୦ରୁ ଅଧିକ ମୋବାଇଲ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ସହିତ ଚୋରିରେ ବ୍ୟବହାର କରାଯାଉଥିବା ଅଟୋ ଏବଂ ବାଇକ୍ ଜବତ କରିଛି ପୁଲିସ। ଜବତ ଚୋରି ସାମଗ୍ରୀର ମୂଲ୍ୟ ପାଖାପାଖି ୩୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣା ପଡିଛି। ତେବେ ଏହି ଲୁଟେରା ଗ୍ୟାଙ୍ଗ ମୁଖ୍ୟ କୁହାଯାଉଥିବା ଅଭିଯୁକ୍ତ ବିରୋଧରେ ଭୁବନେଶ୍ୱରର ଏକ ବୈଷୟିକ ଶିକ୍ଷାନୁଷ୍ଠାନର ଜଣେ ପ୍ରଫେସରଙ୍କୁ ମଧ୍ୟ ଅପହରଣ କରିଥିବାର ସଙ୍ଗୀନ ମାମଲା ରହିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ପୁଲିସ ଜିଲ୍ଲା ଏଏସପି ପି.କେ.ଦଳାଇ।
ତେବେ ଶେରଗଡ଼ସ୍ଥିତ ପାଣିଗ୍ରାହୀ ଏସୋସିଏଟରୁ ଗତ ୫ ତାରିଖ ରାତିରେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ଏହି ଲୁଟେରା ଗ୍ୟାଙ୍ଗର ସନ୍ଧାନ ପାଇ ଚଢ଼ଉ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବା ବୁଧବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଏସପି ସୂଚନା ଦେଇଛନ୍ତି। ଏହି ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍ ସଦସ୍ୟଙ୍କ ବିରୋଧରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି।





