ଭୁବନେଶ୍ୱର,୨/୪ (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପ୍ରାୟ ୧୦ ମାସ ପରେ ଜେଲରୁ ମୁକୁଳିଛନ୍ତି । ୧୯୮୮ ମସିହାରେ ଘଟିଥିବା ରୋଡ୍ ରେଜ୍ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ ଜେଲ୍ ଦଣ୍ଡାଦେଶ ପାଇଥିଲେ ସିଦ୍ଧୁ । ତେବେ ଜେଲ ମଧ୍ୟରେ ଉତ୍ତମ ବ୍ୟବହାର କାରଣରୁ ତାଙ୍କର ଦଣ୍ଡ ବିଧାନକୁ ୨ ମାସ କୋହଳ କରାଯାଇଥିଲା । ମେ ମାସରେ ସିଦ୍ଧୁ ମୁକ୍ତ ହେବାକୁ ଥିବା ବେଳେ ତାଙ୍କୁ ସମୟ ଅବଧିର ୨ ମାସ ପୂର୍ବରୁ ମୁକ୍ତ କରାଯାଇଛି । ତେବେ ଜେଲରୁ ବାହାରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସିଦ୍ଧୁ ।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦକୁ ତୀବ୍ର ବିରୋଧ କରିବା ସହିତ ସିଧାସଳଖ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ସିଦ୍ଧୁ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବଜୋତ ସିଂହ ସିଦ୍ଧୁ କହିଛନ୍ତି, ‘ଲୋକତନ୍ତ୍ର ଏବେ ବେଡିରେ ବନ୍ଧା ହୋଇଛି । ସଂସ୍ଥାଗୁଡିକ ଗୋଲାମ ହୋଇଯାଇଛନ୍ତି । ଯେବେ ଠାରୁ ଦେଶରେ ତାନାସାହୀ ଆସିଛି ସେବେଠାରୁ କ୍ରାନ୍ତି ବି ଆସିଛି । ଆଉ ସେହି କ୍ରାନ୍ତିର ନାଁ ହେଉଛି ରାହୁଲ ଗାନ୍ଧି । ସେ ମୋଦି ସରକାରକୁ ଦୋହଲାଇ ଦେଇଛନ୍ତି । ଅପରାଧ ବିରୁଦ୍ଧରେ କଂଗ୍ରେସ କର୍ମୀ ଓ ନେତାମାନେ ଲଢେଇ କରୁଛନ୍ତି’।
କେବଳ କେନ୍ଦ୍ର ସରକାର ନୁହେଁ ପଞ୍ଜାବରେ ଶାସନ କରୁଥିବା ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ନବଜୋତ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ କହିଛନ୍ତି, ପଞ୍ଜାବ ଭାରତର ଢାଲ । ଆଉ ତାକୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି । ଯେଉଁଠି ବି ଅଳ୍ପସଂଖ୍ୟକ ସମୁଦାୟ ଅଧିକ ସଂଖ୍ୟାରେ ଅଛନ୍ତି ସେଠାରେ ଲୋକତନ୍ତ୍ର ନୁହେଁ ବରଂ କେନ୍ଦ୍ର ସରକାର ଷଡଯନ୍ତ୍ର କରନ୍ତି।
ବିଜେପିକୁ ଟାର୍ଗେଟ୍ କରି ସିଦ୍ଧୁ କହିଛନ୍ତି, ‘ମୋଦି ସରକାର ଭୟ କରୁଛନ୍ତି । ସଂସଦରେ ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି । ଅଳ୍ପ ସଂଖ୍ୟକ ସମୁଦାୟଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ପଞ୍ଜାବକୁ ଦୁର୍ବଳ କରିବାକୁ ଚାହୁଁଥିବା ଲୋକେ ନିଜେ ଦୁର୍ବଳ ହୋଇଯିବେ’।
ସୂଚନାଯୋଗ୍ୟ ଯେ, ୧୯୮୮ ମସିହାରେ ଏକ ରୋଡ୍ ରେଜ୍ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯେଉଁଥିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ପ୍ରାୟ ୩୪ ବର୍ଷ ପରେ ମାମଲାରେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ପଟିଆଲା କୋର୍ଟ । ପରେ ସିଦ୍ଧୁ ନିଜେ ଆସି କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ନବଜୋତ୍ ସିଂହ ସିଦ୍ଧୁଙ୍କ ଜେଲ ଦଣ୍ଡ ଅବଧି ଆସନ୍ତା ମେ ମାସରେ ଶେଷ ହେବାର ଥିଲା । ତେବେ ଜେଲ୍ ଭିତରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କାରଣରୁ ତାଙ୍କ ଦଣ୍ଡାଦେଶ ଅବଧି କମ୍ କରାଯାଇଥିଲା । ବର୍ଷେ ପରିବର୍ତ୍ତେ ୧୦ ମାସ ପରେ ସେ ଜେଲରୁ ମୁକୁଳିଛନ୍ତି ।





