ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଗତକାଲି ରାତି ପ୍ରାୟ ୮ଟା ସମୟରେ ଘସିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ବଦ୍ରିନାରାୟଣ ପାତ୍ର କୋରେଇ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟା ଗ୍ରାମକୁ ଏକ ସମ୍ପର୍କୀୟଙ୍କ ଏକାଦଶାହ କ୍ରିୟାକୁ ଆସୁଥିଲେ । ସେହି ସମୟରେ ତେନ୍ତୁଳିଖୁଣ୍ଟି ଛକ ନିକଟରେ ଜଣେ ଯୁବକ ବିଧାୟକଙ୍କ ଗାଡି ଉପରକୁ ପଥର ମାଡ଼ କରିଥିଲା । ସୌଭାଗ୍ୟବଶତଃ ବିଧାୟକଙ୍କ କୌଣସି କ୍ଷତି ହୋଇନଥିବାବେଳେ ଗାଡି କାଚ ଭାଙ୍ଗି ଯାଇଥିଲା ।
ତେବେ ଏହି ପଥର ମାଡ଼ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଦଶରଥ ଟୁଡୁ ବୋଲି ଜଣାପଡ଼ିଛି । ଏହି ଘଟଣା ସଂପର୍କରେ ମହୁଲିଆ ଗ୍ରାମର ଟ୍ରକ ଡ୍ରାଇଭର ମାଧବାନନ୍ଦ ଜେନା କୋରେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ମାମଲାକୁ ଆଧାର କରି ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଦଶରଥ ଟୁଡୁଙ୍କୁ କହ୍ନେଇପୁର ଅଞ୍ଚଳରୁ ଯାଜପୁର ରୋଡ ଥାନା ପୋଲିସ ଗିରଫ କରିଛି । କେସ ନମ୍ବର ୨୪୦/୨୨ ଦଫା ୩୪୧, ୨୯୪, ୩୩୬,୩୩୭,୩୦୭ ଓ ୪୨୭ରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି । ତେବେ ଯୁବକ ଜଣକ କେଉଁ କାରଣରୁ ବିଧାୟକଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ।





