ଗୋଆ ପଲିଟିକ୍ସ; ବିଜେପିରୁ ଇସ୍ତଫା ଦେଲେ ମନୋହର ପାରିକରଙ୍କ ପୁଅ; ବାପାଙ୍କ ନିର୍ବାଚନୀ ମଣ୍ଡଳରୁ ସ୍ୱାଧୀନ ଭାବରେ ଲଢ଼ିବେ ନିର୍ବାଚନ

ଗୋଆ(ସତ୍ୟପାଠ ବ୍ୟୁରୋ): ଗୋଆରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏସବୁ ମଧ୍ୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବେଶ ଚର୍ଚ୍ଚାରେ ରହିଥିଲେ । କାହିଁକିନା ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ପାନାଜୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ମନା କରିଦେଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ଚାରିପଟେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଏହା ମଧ୍ୟରେ ଉତ୍ପଳ ବିଜେପିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବରେ ପାନାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାର କଥା ସାମ୍ନାକୁ ଆସିଛି । ଗୋଆରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଫେବୃଆରୀ ୧୪ ତାରିଖରେ ବିଧାନସଭା ନିର୍ବାଚନରେ ସେ ନିଜର ରାଜନୈତିକ ଡେବ୍ୟୁ କରିବାକୁ ଯାଉଛନ୍ତି । ସେପଟେ ମୁଁ ବିଜେପିକୁ ମନାଇବାକୁ ବହୁତ ଚେଷ୍ଟା କଲି ।

ଗତ ୩୦ ବର୍ଷ ଧରି ପାନାଜି ଜନତାଙ୍କ ସମର୍ଥନକୁ ମୁଁ ଦେଖିଆସୁଛି । ସେମାନେ କ୍ରମାଗତ ଭାବରେ ମୋ ବାପାଙ୍କୁ ସମର୍ଥନ ଦେଇଆସୁଥିଲେ । ତେଣୁ ମୁଁ ମଧ୍ୟ ଲୋକଙ୍କ ଆଶାକୁ ବଜାୟ ରଖିବା ପାଇଁ ପାନାଜୀ ନିର୍ବାଚନୀ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି ଦଳକୁ କହିଥିଲି । କିନ୍ତୁ ମୁଁ ପାନାଜୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରିନଥିଲି । ତେଣୁ ମୁଁ ବିଜେପି ଛାଡ଼ୁଛି ବୋଲି ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଗାମୀ ଯୁଦ୍ଧ କଠିନ ହେବ । ଗତ ଥର ମଧ୍ୟ ବିଜେପି କିଛି ବିଶେଷ କାରଣ ପାଇଁ ମୋର ପ୍ରାର୍ଥୀପତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲା। ତେଣୁ ଚଳିତଥର ବିଧାନସଭା ନିର୍ବାଚନ ଯୁଦ୍ଧ ମୋ ପାଇଁ ଅତ୍ୟନ୍ତ କଠିନ ହେବାକୁ ଯାଉଛି । ଗତ ଦୁଇ ବର୍ଷ ମଧ୍ୟରେ ଦଳକୁ ସୁବିଧାଜନକ ଭାବେ ଆସିଥିବା ବ୍ୟକ୍ତିଙ୍କୁ ପାନଜୀରୁ ବିଜେପି ପ୍ରାର୍ଥୀ କରାଯାଇଛି ।

ଏହି ପରିସ୍ଥିତି ହେତୁ ମୋର ପିତା ବିଶ୍ୱାସ କରୁଥିବା ମୂଲ୍ୟବୋଧ ପାଇଁ ଠିଆ ହେବା ଏବଂ ପାନାଜୀ ଲୋକଙ୍କୁ ମୋର ରାଜନୈତିକ ଭାଗ୍ୟ ସ୍ଥିର କରିବା ଛଡା ମୋର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଉତ୍ପଳ ପାରିକର କହିଛନ୍ତି । ଅନ୍ୟପଟେ ବିଜେପି ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୪ ଜଣଙ୍କ ନାମ ଘୋଷଣା କରିସାରିଛି । ବିଜେପି ପାନଜୀରୁ ନିଜର ପ୍ରାର୍ଥୀ ଅଟାନାସିଓଙ୍କୁ ଘୋଷଣା କରିଛି। ସେପଟେ କଂଗ୍ରେସ ଟିକେଟ୍ ରେ ୨୦୧୯ ବାଇପୋଲରେ ପାନାଜୀ ଆସନ ଜିତିଥିବା ମୋନସେରେଟ୍, ବାଇପଲ୍ ଜିତିବାର କିଛି ମାସ ପରେ ଅନ୍ୟ ୯ ଜଣ ବିଧାୟକଙ୍କ ସହ ବିଜେପିକୁ ଯାଇଥିଲେ।

Related Posts