ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ରୋହୀଙ୍କ ଉପରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ । ଦୁଇ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଗୋଆ ବାଚସ୍ପତିଙ୍କୁ ଅପିଲ୍ କଲା କଂଗ୍ରେସ । ତେବେ ନିଜର ୧୧ ବିଧାୟକଙ୍କ ମଧ୍ୟରୁ ଦୁଇ ବିଧାୟକ ଦିଗମ୍ୱର କାମାତ ଏବଂ ମାଇକେଲ ଲୋବୋଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛି। ଏନେଇ ଦଳ ବିଧାନସଭା ବାଚସ୍ପତିଙ୍କ ନିକଟରେ ନିବେଦନ କରିଛି। ଏହା ପୂର୍ବରୁ ରବିବାର କଂଗ୍ରେସ ମାଇକେଲ ଲୋବୋଙ୍କୁ ଗୋଆ ବିରୋଧୀ ଦଳ ନେତା ପଦରୁ ହଟାଇଥିଲା। ସେପଟେ ମାଇକେଲ ଲୋବୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ଦିଗମ୍ୱର କାମାତ ବିଜେପି ସହ ମିଶି କଂଗ୍ରେସ ବିରୋଧରେ ଷଡଯନ୍ତ୍ର ରଚିବାର ଅଭିଯୋଗ ଆସିଥିଲା। ଶନିବାର କଂଗ୍ରେସ ବିଧାୟକଙ୍କ ଏକ ବୈଠକ ପରେ ୯ ଜଣ ବିଜେପିରେ ମିଶିପାରନ୍ତି ବୋଲି ଖବର ଆସିଥିଲା। ଏହାପରେ ଗୋଆ ଏଆଇସିସି ପ୍ରଭାରୀ ଦିନେଶ ଗୁଡୁ ରାଓ ରବିବାର କହିଥିଲେ, ପାର୍ଟିର ପାଞ୍ଚ ଜଣ ବିଧାୟକ ଲୋବୋ, କାମାତ, କେଦାର ନାଇକ, ରାଜେଶ ଫଲଦେସାଇ ଏବଂ ଡେଲିୟାଲା ଲୋବୋଙ୍କ ସହ ସମ୍ପର୍କ ହୋଇପାରୁ ନାହିଁ ।
ଅନ୍ୟ ଛଅ ବିଧାୟକ ଦଳ ସମ୍ପର୍କରେ ଅଛନ୍ତି ବୋଲି ସେ କହିଥିଲେ।ଅନ୍ୟପଟେ ଗୋଆରେ କ୍ଷମତାରେ ଥିବା ବିଜେପି ପାଖରେ ୨୦ ବିଧାୟକ ଅଛନ୍ତି ଏବଂ ଅନ୍ୟ ୫ ଜଣଙ୍କ ସମର୍ଥନ ରହିଛି। କଂଗ୍ରେସ ବିଧାୟକଙ୍କ ବିଜେପି ସାମିଲ ହେବା ଉପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସାୱନ୍ତ କହିଛନ୍ତି, ଆମକୁ ଆକାର ଆବଶ୍ୟକତା ନାହିଁ, ଆମର ସ୍ଥିର ସରକାର। ଆମ ପାଖରେ ୨୫ ବିଧାୟକଙ୍କ ସମର୍ଥନ ରହିଛି। ସେମାନଙ୍କ(କଂଗ୍ରେସ)ର କିଛି କାମ ନାହିଁ, ଏଥିପାଇଁ ବିଜେପି ଉପରେ ଦୋଷ ଲଦି ନାଟକ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





