ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି। ଆଜି ବିଧାନସଭାରେ ଏଭଳି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି? ଯଦି ମିଳିଛି, ତାର ସବିଶେଷ ବିବରଣୀ ଦେବାକୁ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସୁଧୀର ସାମଲ।
ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଓଡ଼ିଶାର ୩ ଜିଲ୍ଲା ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ମାଟି ତଳେ ସୁନା ପଥର ଗଛିତ ରହିଛି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଜିଏସଆଇର ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ସେ ଆହୁରି କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ଅଡ଼ାସ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ଥିବା ଜଣାପଡିଛି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।





