‘ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଜରୁରୀ’; ବିଜୟ ଉତ୍ସବରେ ସାମିଲ ହୋଇ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ନବୀନ ।

ସେ କହିଛନ୍ତି, ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ। ଏହି ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଋଣୀ। ବିଜେଡି ଋଣୀ। କର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଖରା ଓ ଗରମକୁ ଖାତିର ନକରି ପରିଶ୍ରମ ଓ ତ୍ୟାଗ କରିଥି‌ଲେ। ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ବିକାଶଧାରାକୁ ବିଜେଡି ଆଗେଇ ନେବ।

ସେହିଭଳି ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ ମାଆମାନଙ୍କୁ ସମ୍ମାନ ଦେଇ ନଥିଲା । ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ପଦ୍ମପୁର ଭଳି ଝାରସୁଗୁଡ଼ାରେ ମଧ୍ୟ ବାପାଙ୍କୁ ହରାଇଥିବା ଝିଅଙ୍କୁ ଗାଳି କରିଥିଲେ । ପ୍ରତ୍ୟେକଟି ଉପନିର୍ବାଚନରେ ବିରୋଧୀ ମିଶନ ଶକ୍ତିର ନେତ୍ରୀ ଓ ମାଆମାନଙ୍କୁ ସମାଲୋଚନା କରୁଛନ୍ତି ।

ଇତିହାସ ସାକ୍ଷୀ ଅଛି, ଓଡ଼ିଶାବାସୀ କେବେ ବି ମାଆମାନଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରି ନାହାନ୍ତି । ଆମର ଝିଅ ମାନେ, ଆମର ଗର୍ବ । ବିଜେଡି ସବୁବେଳେ ସମାଜରେ ମାଆମାନଙ୍କ ଯୋଗଦାନକୁ ଗୁରୁତ୍ୱ ଦିଏ । ସେମାନଙ୍କୁ ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି । ହାଣ୍ଡିଶାଳରୁ ଚାରିକାନ୍ଥରୁ ବାହାରି ସେମାନେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଛନ୍ତି ।

ବିରୋଧୀ ଦଳ ସବୁବେଳେ ମାଆମାନେ ସଶକ୍ତ ହେବାକୁ ବିରୋଧ କରିଛି, ଯାହାକି ବିପଦ । ବିରୋଧୀଙ୍କ ଏଭଳି ବ୍ୟବହାରକୁ ଓଡ଼ିଶାବାସୀ ସବୁବେଳେ ନା ପସନ୍ଦ କରି ପ୍ରତ୍ୟାଖ୍ୟାନ କରିଛନ୍ତି । ଆସନ୍ତୁ ଆମେ ଗଣତନ୍ତ୍ରର ସୁରକ୍ଷା ପାଇଁ ମାଆମାନଙ୍କୁ ଅଧିକାର ଦେବା ।

ନବୀନ ବିଜେପିକୁ ସମାଲୋଚନା କରି କହିଛନ୍ତି, ସିଙ୍ଗଲ ଓ ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି କିଏ ଲୋକଙ୍କ ପାଇଁ କାମ କରୁଛି । ଲୋକଙ୍କ ପାଇଁ ଗୁଡ୍ ଗଭର୍ନାନ୍ସ ଜରୁରୀ। ଭଲ ସରକାର, ଲୋକଙ୍କ ପାଇଁ କାମ କରୁଥିବା ସରକାର ସବୁବେଳେ ଜିତେ । ଯେଉଁମାନେ ଆମ ମାଆଙ୍କୁ ଅସମ୍ମାନ କରନ୍ତି, ଲୋକଙ୍କ ବିରୋଧରେ କାମ କରନ୍ତି ସେମାନେ ହାରନ୍ତି, ଲୋକେ ସେମାନଙ୍କୁ କ୍ଷମା କରନ୍ତିନି ବୋଲି ନବୀନ କହି ପରୋକ୍ଷରେ ବିଜେପିକୁ ଚେତାଇ ଦେଇଛନ୍ତି ।

Related Posts