ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ରାଜଭବନରୁ ଜାରି ହେଉଥିବା ଚିଠିର ଉତ୍ତର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦେଉ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ରାଜ୍ୟପାଳ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ମାନ ରାଜଭବନରୁ ଜାରି ଚିଠିର ଉତ୍ତର ନ ଦେବେ, ତା’ହେଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିସ କରିବେ ବୋଲି କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବେ ବୋଲି ମଧ୍ୟ ସେ ସତର୍କ କରାଇଛନ୍ତି।ତେବେ ସମ୍ବିଧାନର ଧାରା ୩୬୫ରେ ଗୋଟିଏ ରାଜ୍ୟ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧୀନକୁ ଆସିପାରିବ। ତେବେ ଏଥିପାଇଁ ରାଜ୍ୟପାଳଙ୍କୁ ପ୍ରଥମେ ରିପୋର୍ଟ ଦେବାକୁ ପଡ଼ିବ।
ଏକ ଚିଠିରେ ପଞ୍ଜାବ ରାଜ୍ୟପାଳ ରାଜ୍ୟରେ ଚାଲିଥିବା ନିଶା କାରବାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମାନ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ପଚାରିଛନ୍ତି। ରାଜ୍ୟପାଳ ଚିଠିରେ କହିଛନ୍ତି ଯେ ରାଜ୍ୟରେ ଉପଲବ୍ଧ ଓ ବ୍ୟବହାର ହେଉଥିବା ନିଶା ଦ୍ରବ୍ୟ ସମ୍ପର୍କରେ ସେ ବିଭିନ୍ନ ଏଜେନ୍ସିରୁ ରିପୋର୍ଟ ପାଇଛନ୍ତି। ନିଶା ଏବେ ବେଶ ସହଜରରେ ଉପଲବ୍ଧ ହେଉଛି। ଫାର୍ମାସିସ ଓ ସରକାରଙ୍କ ଅଧୀନରେ ଥିବା ମଦ ଦୋକାନଗୁଡ଼ିକରେ ବିଭିନ୍ନ ବ୍ୟାନ ଡ୍ରଗ ମିଳୁଛି। ଏହା କେମିତି ସମ୍ଭବ ହେଲା? ସଂସଦର ଷ୍ଟାଣ୍ଡିଂ କମିଟି ମଧ୍ୟ ପଞ୍ଜାବର ପ୍ରତି ୫ ଜଣରେ ଜଣେ ନିଶା କବଳରେ ପଡ଼ୁଥିବା ରିପୋର୍ଟ ଦେଇଥିବା ରାଜ୍ୟପାଳ ପୁରୋହିତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଚିଠିରେ ରାଜ୍ୟପାଳ ପୁରୋହିତ ଆହୁରି କହିଛନ୍ତି ଯେ ଏ ସଂକ୍ରାନ୍ତରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ହେଲେ ସେ ଏହାର କୌଣସି ଉତ୍ତର ନ ଦେବା, ଅତ୍ୟନ୍ତ ନିରାଶର ବିଷୟ। ରାଜ୍ୟରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା କଥା ସେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ମଧ୍ୟ ଚିଠିରେ ଦେଇଛନ୍ତି। ସମ୍ବିଧାନର ଧାରା ୩୬୫ ଓ ଆଇପିସିର ଧାରା ୧୨୪ ଉପରେ ରାଜ୍ୟପାଳ ପୁରୋହିତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ ଚିଠିର ଜବାବ ଦିଅନ୍ତୁ ବୋଲି ଚେତାବନୀ ଦିଆଯାଇଛି।
ସେପଟେ ରାଜ୍ୟପାଳଙ୍କ ଏପରି ରାଷ୍ଟ୍ରପତି ଶାସନ ଲାଗୁ ଚେତାବନୀ ଉପରେ ଜବାବ ରଖି ଆପ୍ ନେତା ମାଲବିନ୍ଦର ସିଂହ କାଙ୍ଗ କହିଛନ୍ତି ଯେ, “ରାଜ୍ୟପାଳ ଗୋଟିଏ ଡେକୋରମ ପାଳନ କରିବା ଉଚିତ। ଭାରତୀୟ ସମ୍ବିଧାନ ନିର୍ବାଚିତ ଲୋକଙ୍କୁ ସଶକ୍ତ କରିଥାଏ। ନିର୍ବାଚିତ ସରକାରଙ୍କୁ ଏପରି ରାଷ୍ଟ୍ରପତି ଶାସନ ଲାଗୁ କରିବାର ଧମକ ଦେବା ବିଜେପିର ଏଜେଣ୍ଡା। ଏବେ ଏହା ରାଜ୍ୟପାଳଙ୍କ ମୁହଁରୁ ବାହାରିଛି। ମୁଁ ରାଜ୍ୟପାଳଙ୍କୁ କହିବାକୁ ଚାହେଁ ଯେ ଯଦି ସେମାନେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛନ୍ତି, ତା’ହେଲେ ମଣିପୁର ଓ ହରିଆଣାରେ ଲଗାନ୍ତୁ। ପଞ୍ଜାବ ସରକାର ସମ୍ବିଧାନର ବିଧିବ୍ୟବସ୍ଥା ଭିତରେ କାମ କରୁଛନ୍ତି। ରାଜ୍ୟପାଳଙ୍କ ଗୋଟିଏ ଏଜେଣ୍ଡା- ବିଜେପିର ଏଜେଣ୍ଡାକୁ ଆଗକୁ ନେଇ ଅଣ ବିଜେପି ସରକାରଙ୍କୁ ଅସ୍ଥିର କରିବା।”
ତେବେ ପଞ୍ଜାବରେ ଆପ୍ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।





