ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ଭାରତୀୟ ନ୍ୟାୟ ବ୍ୟବସ୍ଥା, ସମୟର ଗତି ସହ ତାଳଦେଇ ପରିବର୍ତ୍ତନ ହୋଇ ଚାଲିଛି ଏବଂ ସାଧାରଣ ନାଗରିକକୁ ସଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ କହିଛନ୍ତି। ଶନିବାର ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରଙ୍କ ଉପଦେଷ୍ଟାମାନଙ୍କର ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜିଜ୍ଜୁ ଏହା କହିଛନ୍ତି । ସେ କହିଛନ୍ତି, ସାଧାରଣ ନାଗରିକର ଅଧିକାର ନ୍ୟାୟ ପ୍ରଦାନରେ କେବେ ମଧ୍ୟ ବିଳମ୍ବ ହେବା ଆକଶ୍ୟକ ନୁହେଁ । ଖୁବ ଶୀଘ୍ର ଭାରତୀୟ ନ୍ୟାୟପାଳିକା କାଗଜହୀନ ହେବ। ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଡିଜିଟାଇଜେସନ୍ କରିବା ଉଦ୍ଦେଶ୍ୟରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ ୭୦୦୦ ଇ-କୋର୍ଟ ପ୍ରତିଷ୍ଠା ପାଇଁ ଚଳିତ ବଜେଟରେ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।
ଉଦ୍ଘାଟନୀ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ବି.ଭି.ନାଗାରତ୍ନ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର, ଝାଡଖଣ୍ଡର ମୁଖ୍ୟ ବିଚାରପତି ସଞ୍ଜୟ କୁମାର ମିଶ୍ର ଏବଂ ଭାରତ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରମୁଖ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଥିଲେ।
ପଶ୍ଚିମବଙ୍ଗ, ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼, ଆସାମ,ସିକିମ, ତି୍ରପୁରା, ନାଗାଲାଣ୍ଡ, ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭାରତ ସରକାରଙ୍କର ଆଇନ ଅଧିକାରୀ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ।





