ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ଆଜି ଭୁବନେଶ୍ୱର ଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ନଦୀର ସୁରକ୍ଷା ଓ ପୁନରୁଦ୍ଧାର ଶୀର୍ଷକ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇଥିଲା l ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ଆନ୍ଦୋଳନରତ ବ୍ୟକ୍ତି ବିଶେଷ ଯୋଗଦେଇ ସଂପ୍ରତି ମହାନଦୀ ଜଳ ବିବାଦ ଓ ରାଜ୍ୟର ଅନ୍ୟାନ୍ୟ ନଦୀ ଗୁଡ଼ିକର ଦୟନୀୟ ଅବସ୍ଥା କୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଅନେକ ଗୁରୁତ୍ୱପର୍ଣ୍ଣ ନିଷ୍ପତି ନେଇଛନ୍ତି l
ମହାନଦୀ ଜଳ ବିବାଦର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟା ବା ଟ୍ରିବୁନାଲର ପରିଧି ବାହାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ କରିବାକୁ ଦାବି କରାଯାଇଛି l ଏବେ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ସମାନ ସରକାର କ୍ଷମତାରେ ଅଛି l ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ସହଜ ହେବ ବୋଲି ମତ ପ୍ରକାଶ ପାଇଛି l ଏଥି ପାଇଁ ଓଡ଼ିଶାର ଜଳ ସମ୍ପଦ ବିଭାଗ ର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ସଂପ୍ରତି ଓଡ଼ିଶାର ନଦୀ ଗୁଡ଼ିକର ସ୍ବାସ୍ଥ୍ୟ ଭଲ ନାହିଁ l ଅନେକ ଛୋଟ ଛୋଟ ନଦୀ ଗୁଡ଼ିକ ମାରିଯିବାକୁ ବସିଲାଣି l ଅନେକ ବଡ଼ ନଦୀ ଗୁଡ଼ିକର ପାଣି ବହୁଳ ଭାବରେ ପ୍ରଦୂଷିତ l ନଦୀ ଗୁଡ଼ିକ ଶୋଷଣ, ଅତିକ୍ରମଣ ଓ ପ୍ରଦୂଷଣର ଶିକାର ହୋଇ ସେମାନଙ୍କର ଅସ୍ତିତ୍ବ ହରାଇବାକୁ ବସିଲେଣି l ତେଣୁ ସରକାର ତୁରନ୍ତ ଏକ ନଦୀ ନୀତି ପ୍ରସ୍ତୁତ କରିବା ସହିତ ଏହି ନୀତିର କାର୍ଯ୍ୟକାରିତା ପାଇଁ ଏକ ନଦୀ ମିଶନ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ପାରିତ କରାଯାଇଛି l ଓଡ଼ିଶା ନଦୀ, ନାଳ ତଥା ଅନେକ ଜଳାଶୟରେ ବିଭୂଷିତ l ରାଜ୍ୟର ଜଳ ସମ୍ପଦକୁ ଏହା ସମୃଦ୍ଧ କରିଥାଏ l ମାତ୍ର ରାଜ୍ୟରେ ୧୧ ଟି ପ୍ରମୁଖ ନଦୀ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଶାଖା, ପ୍ରଶାଖା ଓ ଉପନଦୀ ଗୁଡ଼ିକର ହିସାବ ବା ତାଲିକା ସରକାରଙ୍କ ପାଖରେ ନାହିଁ l ତେଣୁ ରାଜ୍ୟ ପାଇଁ ଏକ ନଦୀ ସାରଣୀ ପ୍ରସ୍ତୁତ ପାଇଁ ମଧ୍ୟ ଆଜିର ଚିନ୍ତନ ବୈଠକ ପ୍ରସ୍ତାବ ପାରିତ ହେବା ସହ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ଏହି ଦାବି ଗୁଡ଼ିକ ସହିତ ନଦୀ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଖର କରିବା ପାଇଁ ଏକ ୧୭ ଜଣିଆ କମିଟି ଗଠିତ ହୋଇଛି l ଆସନ୍ତା ଜୁଲାଇ ୧୩ ତାରିଖରେ ଏହାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ l ତା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ଠାରେ ମହାନଦୀ ଯାତ୍ରା/ ୱାକ ଆୟୋଜନ ହେବ l ଅନୁରୂପ ଭାବରେ ଦୟା, ବୈତରଣୀ, ସୁନା, କରୋ, ସାଳନ୍ଦୀ , ଗଙ୍ଗୁଆ ନଦୀ ଯାତ୍ରା ବା ରିଭର ୱାକ୍ ମଧ୍ୟ ଆୟୋଜିତ ହେବ l
ବୈତରଣୀ ନଦୀ ଉପରେ ନିର୍ମିତ କାନପୁର ନଦୀବନ୍ଧର ପାଣି କେବଳ ଚାଷୀ ମାନଙ୍କ ପାଇଁ ବ୍ୟବହାର ସହିତ ବୈତରଣୀ ନଦୀର ପାଣିକୁ ପାଇପ ଯୋଗେ ଲୁହାଗୁଣ୍ଡ ପରିବହନ ପାଇଁ ବ୍ୟବହାର ନକରିବାକୁ ମଧ୍ୟ ଆଜି ବୈଠକରେ ଦାବି କରାଯାଇଛି l
ଆଜିର ଏହି ବୈଠକରେ ବିଶିଷ୍ଟ ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ମାନଦ ଅଧିକାର ପ୍ରବକ୍ତା ମନୋଜ ଜେନା, ଆଇନଜୀବୀ ଶଙ୍କର ପାଣି, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁ ଭାଇ, କୁଶଭଦ୍ରା ଆନ୍ଦୋଳନର ଆବାହକ ନିରଦ ବରଣ ଖୁଣ୍ଟିଆ, ଦୟା ଆନ୍ଦୋଳନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବୈତରଣୀ ଆନ୍ଦୋଳନର ବିପ୍ଳବ ମିଶ୍ର, ଅଶୋକ ଥାକର, ଗଣେଶ ପାତ୍ର, ଦିଲୁ ସ୍ବାମୀ ସାଳନ୍ଦୀ ଆନ୍ଦୋଳନର ଆବାହକ ପ୍ରତାପ ପାଢ଼ୀ, ଗାଙ୍ଗୁଆ ଆନ୍ଦୋଳନର ଡ. ପ୍ରଦୀପ ତରାଇ, ଧନୁଆ ନଦୀ ଆନ୍ଦୋଳନର ଦେବରାୟ ସାହୁ, ରାଜକିଶୋର ପରିଡ଼ା, ପ୍ରଶାନ୍ତ ସାମନ୍ତରାୟ, ବସନ୍ତ କୁମାର ଜେନା, ଉତ୍ପଳ କୁମାର ଦାସ, ସର୍ବେଶ୍ଵର ପଣ୍ଡା ପ୍ରମୁଖ ନଦୀ ଆନ୍ଦୋଳନକାରୀ ମାନେ ଯୋଗ ଦେଇଥିଲେ l
ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ଓ ଯୁଗ୍ମ ସଂଯୋଜକ ଶ୍ରୀ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l





