ଗେହଲଟ୍‌ଙ୍କୁ ୧୫ ଦିନର ଡେଡଲାଇନ୍ ଦେଲେ ପାଇଲଟ୍, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଡେଡଲାଇନ୍ ଦେଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍। ଜୟପୁରରେ ଜନସଂଘର୍ଷ ପଦଯାତ୍ରାର ସମାପନରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପାଇଲଟ୍ କହିଛନ୍ତି, ଆରପିଏସସି ଭଙ୍ଗାଯାଇ ଏହାର ପୁନର୍ଗଠନ କରାଯାଉ। ବସୁନ୍ଧରା ରାଜେ ସରକାରଙ୍କ ଦୁର୍ନୀତିର ତଦନ୍ତ କରାଯାଉ। ଏହାସହିତ ରାଜ୍ୟରେ ପେପରଲିକ୍‌ରେ ପୀଡ଼ିତ ପ୍ରତ୍ୟେକ ଯୁବକଙ୍କୁ କ୍ଷତି ପୂରଣ ଦିଆଯାଉ। ଚଳିତ ମାସ ଶେଷ ସୁଦ୍ଧା ଏହି ତିନି ଦାବି ପୂରଣ କରାଯାଉ, ଯଦି ପାଳନ ନକରାଯାଏ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବି ବୋଲି ପାଇଲଟ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଏହି ପଦଯାତ୍ରା କାହା ବିରୋଧରେ ନୁହେଁ। ଲୋକଙ୍କ ପ୍ରସଙ୍ଗ ଶୁଣିବା ହିଁ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଗରମରେ ଚାଲିବା ମୋ ପାଇଁ ସମସ୍ୟା ନୁହେଁ। ପେପର ଲିକ୍ ହେବା ଗମ୍ଭୀର ବିଷୟ ବୋଲି ପାଇଲଟ୍ କହିଛନ୍ତି। ସଚିନ ପାଇଲଟ୍ କହିଛନ୍ତି, ମୋ ଚିଠି ଉପରେ ଦେଢ ବର୍ଷ ହେବ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବସୁନ୍ଧରା ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତି ତଦନ୍ତ ହେବା ଉଚିତ୍। ଜନତାଙ୍କ ମଧ୍ୟରେ ଆମର ବିଶ୍ଵସନୀୟତା ରହିବା ଦରକାର। କଂଗ୍ରେସ ସର୍ବଦା ଦୁର୍ନୀତି ବିରୋଧରେ ରହି ଆସିଛି। ସେ କହିଛନ୍ତି କାହା ନେତୃତ୍ଵରେ ନିର୍ବାଚନ ଲଢାଯିବ ତାହା ପାର୍ଟି ସ୍ଥିର କରିବ ବୋଲି ସେ କହିଛନ୍ତି।

ସଚିନ ପାଇଲଟ୍ ଆହୁରି କହିଛନ୍ତି, ମୁଁ କୌଣସି ପଦରେ ରହେ କି ନରହେ ଶେଷ ନିଃଶ୍ଵାସ ଥିବା ପର୍ଯ୍ୟନ୍ତ ରାଜସ୍ଥାନ ଜନତାଙ୍କ ସହ ରହିବି। ଆମର ଯାତ୍ରା କୌଣସି ନେତାଙ୍କ ବିରୋଧରେ ନୁହେଁ। ଏହା ଦୁର୍ନୀତି ବିରୋଧରେ ଉଦ୍ଦିଷ୍ଟ। ଆମେ ନିଜ ମାର୍ଗରେ ଅଟକିବୁ ନାହିଁ। ପାର୍ଟିର ନେତାଙ୍କୁ ବଦନାମ କରିବା ଏହା ଆମର ନୀତି ନୁହେଁ। ହେଲେ ନେତାମାନେ ବିଜେପିର ଗୁଣଗାନ କରୁଛନ୍ତି। ଏହା କିପରି ନୀତି। ୬ ମାସ ପରେ ନିର୍ବାଚନ ହେବାକୁ ଯାଉଛି। ଏହା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ପରୋକ୍ଷରେ ଗେହଲଟ୍‌ଙ୍କୁ ଟାର୍ଗେଟ୍ କରି ଏହା କହିଛନ୍ତି।

ସେହିପରି ଜୟପୁରରେ ଆୟୋଜିତ ଜନସଭାରେ ବିଧାୟକ ହରିଶ ମୀନା, ଦୀପେନ୍ଦ୍ର ସିଂ ଶେଖାଓ୍ଵତ, ରାକେଶ ପାରିକ, ସୁରେଶ ମୋଦୀ, ଇନ୍ଦ୍ରାଜ ଗୁର୍ଜର, ମୁକେଶ ଭାକର, ଖିଲାଡ଼ୀ ଲାଲ ବୈରଭା, ରାମନିବାସ ଆଦି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଖୁବ୍ ବର୍ଷିଛନ୍ତି।

Related Posts