ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କ ଚରମ ଅବହେଳା, ବିନା ସେଫ୍ଟି ଗିୟରରେ ୧୧ କେଭି ଖୁଣ୍ଟରେ କାମ କରାଇବା ବେଳେ ଖସିପଡି ଶ୍ରମିକ ମୃତ

ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ପାଳଲହଡା ବନ୍ଧାଭୂଇ ପଞ୍ଚାୟତ ପଟାମୁଣ୍ଡ ଗାଁ ରେ ଅଘଟଣ । ଏକ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରରେ ଜଣେ ଶ୍ରମିକ ସକାଳୁ ଚଢି କାମ କରୁଥିବା ବେଳେ ହଠାତ ବିଦ୍ୟୁତ ଖୁଣ୍ଟରୁ ପଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଉଛନ୍ତି ଢେଙ୍କାନାଳ ଅଞ୍ଚଳ ନୁଆ ଗାଁ ର ୪୦ ବର୍ଷ ବୟସ୍କ ମଧୁସୂଦନ ପ୍ରଧାନ । ତେବେ ଏହି ଦୁର୍ଘଟଣା ପରେ ଗାଁ ଲୋକ ମାନଙ୍କ ସହାୟତା ରେ ମଧୁସୂଦନକୁ ପାଳଲହଡା ଡାକ୍ତରଖାନା ଅଣା ଯାଇଥିଲା । ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ବନ୍ଧାଭୂଇ ପଞ୍ଚାୟତ ପଟାମୁଣ୍ଡ ଗାଁ ରେ ବିଦ୍ୟୁତ ତାର ଟାଣିବା ଓ ନୁଆ ସଂଯୋଗ ଦେବା ପାଇଁ ଭୂବନେଶ୍ୱରର ଜଣେ କଣ୍ଟ୍ରାକ୍ଟର ଠିକା ନେଇ ୧୧ ଦିନ ହେବ କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରେ ନୁଆ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଚାଲିଥିବା ବେଳେ ତାର ଟାଣିବା ପାଇଁ ଠିକାଦାରଙ୍କ ନିର୍ଦ୍ଦେଶ ରେ ଆଜି ସକାଳୁ ମଧୁସୂଦନ ଖୁଣ୍ଟକୁ ଚଢିଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ଖୁଣ୍ଟ ଉପରକୁ ଚଢିବା ପାଇଁ ଠିକାଦାର ତାଙ୍କୁ କୈଣସି ସୁରକ୍ଷା ବ୍ୟବହୃତ ସରଞ୍ଜାମ ଦେଇ ନଥିଲେ ଯାହା ଫଳରେ ମଧୁସୂଦନ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ତାର ଟାଣୁଥିବା ବେଳେ ତିରିଶ ଫୁଟ ତଳକୁ ଖସି ପଡିଥିଲେ । ଠିକାଦାରଙ୍କ ଅବହେଳା ଯୋଗୁଁ ଜଣେ ଗରୀବ ଶ୍ରମିକର ଅକାଳରେ ଜୀବନ ଚାଲିଗଲା । ମଧୁସୂଦନ ଜଣେ ଗରିବ ପରିବାରର ହୋଇଥିବା ବେଳେ ନିଜର ପେଟ ପାଟଣା ପାଇଁ ଠିକାଦାରଙ୍କ ଅଧିନରେ ଶ୍ରମିକ ଭାବରେ କାମ କରୁଥିଲେ । ତାଙ୍କ ପରିବାର ପକ୍ଷରୁ ଉକ୍ତ ଠିକାଦାରଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାସହ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ।

Related Posts