ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍ ୟୁପି STF ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉମେଶ ପାଲ ହତ୍ୟା ପରଠାରୁ ଗୁଡ୍ଡୁ ଫେରାର ଥିବା ବେଳେ ତାର ଲୋକେସନ୍ ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ଖବର ଆସୁଛି। କିନ୍ତୁ ବାସ୍ତବତା ହେଉଛି ଯେ ଅତିକ୍ ଅହମ୍ମଦର ସବୁଠାରୁ ବଡ କିଙ୍ଗପିନ୍ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁକୁ ୟୁପି ପୋଲିସ୍ ଖୋଜିବାରେ ବିଫଳ ହୋଇଛି।
ତେବେ ସେ ବାରମ୍ବାର ତାର ଲୋକେ ବଦଳାଉଥିବା କୁହାଯାଉଛି। ହେଲେ ଦେଖାଉଥିବା ଲୋକେସନରେ ୟୁପି STF ପହଞ୍ଚିବା ପୂର୍ବରୁ ଗୁଡ୍ଡୁ ସେଠାରୁ ଫେରାର ହୋଇଯାଉଛି। ସେ ବେଶ୍ ବଦଳାଇ ଦାଢ଼ି ବଢ଼ାଇ ବିଭିନ୍ନ ରାଜ୍ୟରେ ବୁଲୁଥିବା କୁହାଯାଉଛି। ପ୍ରଥମେ ମହାରାଷ୍ଟ୍ରର ନାଶିକ ପରେ କର୍ଣ୍ଣାଟକ ଏବଂ ପରେ ଓଡିଶା, ଛତିଶଗଡରେ ତାର ଲୋକେସନ ଠାବ ହୋଇଥିବା ବେଳେ ବର୍ତ୍ତମାନ ସେ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଥିବା କୁହାଯାଉଛି। ଏଥିପାଇଁ ୟୁପି ଏସଟିଏଫ୍ ଟିମ୍ ମଧ୍ୟ ସତର୍କ ହୋଇଛି।
ସେପଟେ ଗୁଡ୍ଡୁ ସହିତ ଅତିକ୍ ଅହମ୍ମଦର ପତ୍ନୀ ଶାହିସ୍ତା ମଧ୍ୟ ରହିଥିବା କୁହାଯାଉଛି। ସ୍ବାମୀ ଓ ଦିଅର କୁ ହତ୍ୟା କରିବା ପରେ ଶାହିସ୍ତା ମନରେ ମଧ୍ୟ ତାକୁ ହତ୍ୟା କରାଯିବାର ଭୟ ରହିଛି। ତେବେ ସେ କୋର୍ଟଙ୍କ ସାମ୍ନାରେ ଆତ୍ମସମର୍ପଣ କରିପାରେ ବୋଲି ମଧ୍ୟ କୁହାଯାଉଛି।
ସେପଟେ ୟୁପି STFର ଅତିରିକ୍ତ ଡିଜିପି ଅମିତାଭ ୟଶ ଗୁଡ୍ଡୁ ଓ ଶାହିସ୍ତାକୁ ନେଇ କହିଛନ୍ତି ଯେ, ଉଭୟ ଉମେଶ ପାଲ ହତ୍ୟା କାଣ୍ଡରେ ସଂପୃକ୍ତ ଅଛନ୍ତି। ଗୁଡ୍ଡୁ ଏକାକୀ ଅନେକ ଅପରାଧ ଘଟାଇବାକୁ ସକ୍ଷମ ହୋଇଥିବାବେଳେ ସେ ସମାଜ ପାଇଁ ବିପଦ ଅଟେ ଉଭୟ ଗୁଡ୍ଡୁ ଓ ଶାହିସ୍ତାକୁ ଶୀଘ୍ର ଧରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।
ତେବେ ବାରମ୍ବାର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ନିଜ ଠିକଣା ବଦଳାଇ ଘୁରି ବୁଲୁଥିବା ଗୁଡ୍ଡୁ ଓ ଶାହିସ୍ତାକୁ ୟୁପି ପୋଲିସ କେବେ କାବୁ କରୁଛି ତାହା ଦେଖିବାକୁ ବାକି ରହିଲା।





