ଭୁବନେଶ୍ୱର, ୨୪/୦୬ (ସତ୍ୟପାଠ ବ୍ୟୁରୋ): ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ। ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର କୋର୍ଟ ଦଣ୍ଡ ଘୋଷଣା କରିବେ। ତେବେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ୧୯୯୫ରେ ରାମମୂର୍ତ୍ତିଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳ ନଗରର ଏମ୍ଏଲଏ କଲୋନୀରେ ଥିବା ଘରୁ ତାଙ୍କ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା। ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ।
୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ କହିଥିଲେ। ତେବେ ତଦନ୍ତ ସମୟରେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଜଣାପଡ଼ିଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏଥିରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ପ୍ରୟାସ କରିଥିଲେ। କୋର୍ଟରେ ଏହା ପ୍ରମାଣିତ ମଧ୍ୟ ହୋଇଗଲା।
ଉଲ୍ଲେଖ ଯୋଗ୍ୟ, ୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ମସିହାରେ ବିଜେପି ଟିକେଟରେ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।





