ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା ।
କଂଗ୍ରେସର ହାତ ଛାଡି ଆଜି ବିଜେପିରେ ସାମିଲ ହେବା ପୂର୍ବରୁ ହାର୍ଦ୍ଦିକ ଟ୍ୱିଟ୍ କରି କହିଛନ୍ତି, ରାଷ୍ଟ୍ରହିତ, ରାଜ୍ୟର ହିତ, ଜନହିତ ଓ ସମାଜର ହିତ ପାଇଁ ଆଜି ଠାରୁ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବାକୁ ଯାଉଛି । ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ନିର୍ମାଣ କାର୍ଯ୍ୟରେ ସିପାହୀ ସାଜି ସହଯୋଗ କରିବି । ତେବେ ହାର୍ଦ୍ଦିକ ବିଜେପିରେ ସାମିଲ ହେବା ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ତାଙ୍କର ପୋଷ୍ଟର ଛାଇଯାଇଛି । ଯାହା ଦର୍ଶାଉଛି ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ବିଜେପି ଶିବିର ମଧ୍ୟ ବେଶ ଉତ୍ସାହିତ ରହିଛି ।
ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ଆଜି ଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଜଣେ ଛୋଟ ସୈନିକ ଭାବେ କାର୍ଯ୍ୟ କରିବି । ଏଣିକି ପ୍ରତି ୧୦ ଦିନରେ କାର୍ଯ୍ୟକ୍ରମ କରିବି ଆଉ ଏଥିରେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ବିଧାୟକ ଓ କର୍ମୀଙ୍କୁ ଦଳରେ ସାମିଲ କରିବି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ବିଶ୍ୱର ଗୌରବ ପାଲଟିଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ଘରେ ପୂଜାର୍ଚ୍ଚନା କରିଛନ୍ତି ହାର୍ଦ୍ଦିକ ।
କଂଗ୍ରେସରୁ ଇସ୍ତଫା ଦେବା ସହ ହାର୍ଦ୍ଦିକ ଦଳର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିବାକୁ ପଛାଇ ନଥିଲେ । ହାର୍ଦ୍ଦିକ କହିଛନ୍ତି, ଯେତେବେଳେ ୭୫ ବର୍ଷୀୟ କପିଲ ସିବଲ, ୫୦ ବର୍ଷୀୟ ସୁନୀଲ ଜାଖଡ ଦଳ ଛାଡୁଛନ୍ତି ସେତେବେଳେ ଦଳର କଣ ଭୁଲ ରହିଛି ତାହାର ପୋଷ୍ଟମର୍ଟମ ହେବା ଆବଶ୍ୟକ ।





