ଇସ୍ତଫା ଦେଲେ ହରିୟାଣାର କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂହ, ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ମହିଳା କୋଚ୍

ଭୁବନେଶ୍ୱର,୧/୧(ସତ୍ୟପାଠ ବ୍ୟୁରୋ): ଯୌନ ଉତ୍ପୀଡ଼ନ ମାମଲା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ହରିୟାଣାର କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂହ। ଗତକାଲି କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥଲେ ଜଣେ ମହିଳା କୋଚ୍। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଆଉ ମାମଲା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଛବି ଖରାପ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ଏହା ସହ ସେ ତାଙ୍କର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ସନ୍ଦୀପ ସିଂହ ହେଉଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ। ଜଣେ ଉତ୍ତମ ପେନାଲ୍ଟି କର୍ଣ୍ଣର ମଧ୍ୟ ଥିଲେ ଏଥିପାଇଁ ‘ଫ୍ଲିକର ସିଂହ’ ନାମରେ ମଧ୍ୟ ସେ ପରିଚିତ। ୨୦୦୭ ହକି ଓ୍ବାର୍ଲ୍ଡ କପ୍‌ର ଦୁଇ ଦିନ ପୂର୍ବରୁ , ଟ୍ରେନ୍‌ରେ ଦିଲ୍ଲୀ ଯାଉଥିବାବେଳେ ଦୁର୍ଘଟଣାବସତଃ ଗୁଳିମାଡ଼ର ଶିକାର ହୋଇଥିଲେ। ସେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଆଉ ଏଥିରେ ସେ ଏକ ବର୍ଷ ପାଇଁ ପାରାଲିସିସର ଶିକାର ହୋଇଥିଲେ। ଏହାପରେ ସୁସ୍ଥ ହେବା ପରେ ଭାରତୀୟ ଟିମ୍ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ୨୦୦୮ ଏବଂ ୨୦୦୯ ର ସୁଲତାନ ଅଜଲାନ୍ କପ୍‌ରେ ସବୁଠୁ ଅଧିକ ଗୋଲ ସ୍କୋର କରିଥିଲେ ଏବଂ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇଥିଲେ।

୨୦୧୮ ରେ ସନ୍ଦୀପଙ୍କ ଉପରେ ବାୟୋପିକ୍ ଫିଲ୍ମ ‘ସୁରମା’ ମଧ୍ୟ ନିର୍ମାଣ ହୋଇଥିଲା। ଏଥିରେ ଦିଲିଜିତ୍ ଦୋସାଞ୍ଜ ଅଭିନୟ କରିଥିଲେ।​‌ ସେ ଏମଟିଭି ରୋଡିଜ୍‌ରେ ମଧ୍ୟ ଜଜ୍ ଭାବରେ ନଜର ଆସିଛନ୍ତି। ୨୦୧୯ ରେ ହରିୟାଣାର ପେହୋଓ୍ବା ନିର୍ବାଚନୀମଣ୍ଡଳୀରୁ ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ହରିୟାଣା କ୍ୟାବିନେଟ୍‌ରେ କ୍ରୀଡ଼ାମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Related Posts