‘୩ଟି ସନ୍ତାନ ଜନ୍ମ କର’: RSS ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ଆମେ ୨ ଆମର ୩’। ଜନସଂଖ୍ୟା ବୃଦ୍ଧି ପାଇଁ ପରିବାରରେ ୩ ଛୁଆ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଜନସଂଖ୍ୟାରେ ସ୍ଥିରତା ଓ ଜନ୍ମ ହାର ହ୍ରାସକୁ ରୋକିବା ପାଇଁ ଭାରତୀୟ ଅଭିଭାବକମାନଙ୍କର ୩ଟି ଛୁଆ ରହିବା ଜରୁରୀ ବୋଲି ସେ କହିଛନ୍ତି।

ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଗବତ କହିଛନ୍ତି ଯେ, “ଭାରତର ଜନସଂଖ୍ୟା ନୀତି ୨.୧ ପିଲାଙ୍କ କଥା କହୁଛି, ଯାହା ହାରାହାରି ଠିକ। କିନ୍ତୁ ଆପଣ କେବେ ବି ୦.୧ ପିଲା ଜନ୍ମ କରିପାରିବେ ନାହିଁ। ଗଣିତରେ ୨.୧ର ଅର୍ଥ ୨। କିନ୍ତୁ ଜନ୍ମ କଥା ବିଚାରକୁ ନେଲେ ୨ ପରେ ୩ ଆସେ। ଏକଥା ଡାକ୍ତର ମୋତେ କହିଛନ୍ତି।”

ଶ୍ରୀ ଭାଗବତ ଜୋର ଦେଇ କହିଛନ୍ତି ଯେ ୨.୧ ଜନ୍ମଦାତା ସଂପ୍ରଦାୟ ଧୀରେଧୀରେ ବିଲୁପ୍ତ ହୋଇଯିବେ ଓ ୩ରୁ ଅଧିକ ଜନ୍ମ ହାରକୁ ବଳବତ୍ତର ରଖିବା ଆବଶ୍ୟକ। ଠିକ ବୟସରେ ବାହା ହେବା ଓ ୩ ପିଲା ଜନ୍ମ କରିବା ସୁନିଶ୍ଚିତ କରିଥାଏ ଯେ ବାପା ମା’ ଓ ପିଲା ସମସ୍ତେ ସୁସ୍ଥ ରହିବେ। ଜନସଂଖ୍ୟା ବୃଦ୍ଧି ଗୋଟିଏ ବରଦାନ ହୋଇପାରେ। କିନ୍ତୁ ଏହା ଗୋଟିଏ ବୋଝରେ ମଧ୍ୟ ପରିଣତ ହେବାର ଆଶଙ୍କା ରହିଛି। ପରିଶେଷରେ ଆମକଙ୍କୁ ସମସ୍ତଙ୍କ ପେଟ ପୂରାଇବାକୁ ପଡ଼ିବ। ଏଥିପାଇଁ ଜନସଂଖ୍ୟା ନୀତି ରହିଛି। ପରିବାରରେ ୩ଟି ପିଲା ରହିବା ଦରକାର। କିନ୍ତୁ ଏହା ଠାରୁ ଅଧିକ ନୁହେଁ। ଏହାଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣରେ ରହିପାରିବ। ସେମାନଙ୍କ ଲାଳନପାଳନ କେମିତି ଠିକ ଭାବେ ହେବ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ। ନୂଆ ପିଢ଼ିଙ୍କ ୩ଟି ପିଲା ରୁହନ୍ତୁ ବୋଲି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ।”

ତେବେ ପ୍ରଥମଥର ପାଇଁ ୩ ପିଲା ନୀତି ସମ୍ପର୍କରେ ମତ ରଖିନାହାନ୍ତି ମୋହନ ଭାଗବତ। ଏହାପୂର୍ବରୁ ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ ୩ ପିଲା ନୀତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

Related Posts