“ଯିଏ କ୍ଷମତା ସମୟରେ ‘ଗୁଲାମ’ ଥିଲେ, ସେ ସଂଘର୍ଷର ସମୟରେ ‘ଆଜାଦ’ ହୋଇଗଲେ”; ଗୁଲାମନବୀ ଆଜାଦଙ୍କୁ କଂଗ୍ରେସର କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବାପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁଥ୍ କଂଗ୍ରେସର ଅଧ୍ୟକ୍ଷ ବିଭି ଶ୍ରୀନିବାସ ଟ୍ୱିଟରରେ ରାହୁଲ ଗାନ୍ଧିଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରାହୁଲ କହୁଛନ୍ତି- ଯିଏ ଡରିଗଲା, ସେ ଆଜାଦ୍’। ଏହି ଭିଡିଓରେ ରାହୁଲ କହୁଛନ୍ତି, ଯିଏ ଡରୁନାହାନ୍ତି ଓ କଂଗ୍ରେସରେ ନାହାନ୍ତି ତାଙ୍କୁ ଦଳ ଭିତରକୁ ଆଣ। ଯେଉଁମାନେ କଂଗ୍ରେସରେ ଅଛନ୍ତି ଓ ଭୟ କରୁଛନ୍ତି ତାଙ୍କୁ ଦଳରୁ ବାହାର କର। ଆପଣଙ୍କର ଦରକାର ନାହିଁ, କଂଗ୍ରେସକୁ ନିଡର ଲୋକ ଦରକାର। ଆପଣ ଆରଏସଏସ୍ ପାଖକୁ ପଳାନ୍ତୁ। ଶ୍ରୀନିବାସ ବିଭି ଏକ ଅନ୍ୟ ଟ୍ବିଟ୍‌ରେ ବିନା ନାମ ନେଇ ଗୁଲାମ ନବୀ ଆଜାଦଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ବିରୋଧୀଦଳ ନେତା ଭଳି ପଦ ଥିଲା ସେତେବେଳେ ‘ଗୁଲାମ’ ରହିଲେ, ସେତେବେଳେ ସବୁ ଠିକ୍ ଥିଲା!! ୫୦ ବର୍ଷ ପରେ ଯେତେବେଳେ ସଂଘର୍ଷର ସମୟ ଆସିଥିଲା, ପାର୍ଟିର ଋଣ ସୁଝାଇବାର ସମୟ ଆସିଲା ସେତେବେଳେ ‘ଆଜାଦ’ ହୋଇଗଲେ। ଶ୍ରୀନିବାସ ବି.ଭି ଆଉ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ଯିଏ କ୍ଷମତା ସମୟରେ ‘ଗୁଲାମ’ ଥିଲେ, ସେ ସଂଘର୍ଷର ସମୟରେ ଏବେ ‘ଆଜାଦ’ ହୋଇଗଲେ .!

ଉଲ୍ଲେଖନୀୟ ଯେ, ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସ ଛାଡିଛନ୍ତି। ସେ ଦଳର ସବୁ ପଦ ଓ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇ ୭ ଜଣ ବ୍ୟକ୍ତି ଓ ୪ଟି ସ୍ଥିତିକୁ ନେଇ ଉଲ୍ଲେଖ କରିଛନ୍ତି। ସବୁଠାରୁ କଡା ମନ୍ତବ୍ୟ ସେ ରାହୁଲ ଗାନ୍ଧିଙ୍କୁ ନେଇ ଦେଇଛନ୍ତି। କଂଗ୍ରେସର ପତ୍ତନ ପାଇଁ ସେ ରାହୁଲଙ୍କୁ ଦାୟୀ କରିଛନ୍ତି।

Related Posts