ଭୁବନେଶ୍ୱର, ୨୬/୦୬ (ସତ୍ୟପାଠ ବ୍ୟୁରୋ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ ଯାଉଥିଲା । ଏହି ସମୟରେ ବିପରିତ ଦିଗ ଅର୍ଥାତ ଗୁଡ଼ାରୀ ରାୟଗଡ଼ ପଟରୁ ଓଏସଆରଟିସିର ଏକ ବସ୍ ଆସୁଥିଲା ।
ରାତି ପ୍ରାୟ ଗୋଟାଏ ବେଳେ ଖେମୁଣ୍ଡି କଲେଜ ସମ୍ମୁଖରେ ଉଭୟ ବସ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ମିଳିବା କ୍ଷଣ ଦିଗପହଣ୍ଡି ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୮ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇ ଆହତଙ୍କ ଚିକିତ୍ସା ସେବା ସଂପର୍କରେ ପଚାରି ବୁଝିଛନ୍ତି ।
ସେପଟେ ଦିଗପହଣ୍ଡି ଦୁର୍ଘଟଣାର ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା ହୋଇଛି। ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରାଯାଇଛି।





