ଭିଜିଲାନ୍ସ ରେଡ୍ ଗିରଫଦାରୀ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟୀ: କୁଚିଣ୍ଡା ଉପଖଣ୍ଡ ଅତିରିକ୍ତ ତହସିଲଦାର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅତିରିକ୍ତ ତହସିଲଦାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ଗିରଫ ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାୟୀ କରିଛନ୍ତି ସମ୍ପୃକ୍ତ ଅତିରିକ୍ତ ତହସିଲଦାର ସାରଦା ମହାରଣା । ମନ୍ତ୍ରୀ ଚାପ ପକାଇ ଗିରଫ କରାଇଥିବା ସେ ଅଭିଯୋଗ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଚକ୍ରାନ୍ତ କରି ମୋତେ ଗିରଫ କରିଛନ୍ତି । କୁଚିଣ୍ଡା ଅତିରିକ୍ତ ତହସିଲଦାରସାରଦା ମହାରଣା କହିଛନ୍ତି ଯେ, ‘ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା ନ ମାନିବାରୁ ମୋତେ ଫସାଯାଇଛି । ପୂର୍ବରୁ ମଧ୍ୟ ଏପରି ଧମକ ଦିଆଯାଉଥିଲା । ତହସିଲଦାରଙ୍କ ବେଆଇନ କାର୍ଯ୍ୟକୁ ବିରୋଧ କରିବାରୁ ମୋତେ ଫସାଯାଇଛି । ଭିଜିଲାନ୍ସଙ୍କୁ ସମସ୍ତ ସହଯୋଗ କରିବି ।

‘ସୂଚନା ଅନୁଯାୟୀ, ଗତକାଲି(ଶନିବାର) କୁଚିଣ୍ଡା ଅତିରିକ୍ତ ତହସିଲଦାର ୧ ଲକ୍ଷ ୨୦ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ । ଏହାପରେ ସମସ୍ତ କାଗଜପତ୍ର ତନାଘନା କରିବା ପରେ ଆଜି(ରବିବାର) ତାଙ୍କୁ ଗିରଫ କରିଛନ୍ତି । ତେବେ ଏହି ଗିରଫଦାରୀକୁ ମନ୍ତ୍ରୀ ନବଦାସଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ସାରଦା ମହାରଣା ।

ସେ କହିଛନ୍ତି ଯେ, ‘କୁଚିଣ୍ଡା ତହସିଲର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବରେ ଖନନ କାର୍ଯ୍ୟ କରୁଥିଲେ । ଏହାକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ଖନନରେ ବ୍ୟବହୃତ ଯାନବାହନକୁ ସିଜ୍ କରିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୋ ଉପରେ ବାରମ୍ବାର ଚାପ ପକାଉଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ସମର୍ଥକଙ୍କ ଉପରେ ଫାଇନ ନ ପକାଇବା ପାଇଁ ବାରମ୍ବାର ଚାପ ପକାଉଥିଲେ । ତେବେ ଏଥିରେ ରାଜି ନହେବାରୁ ଲାଞ୍ଚ ମାମଲାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଇ ଧରା ପଡିଥିବା କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣା ।

Related Posts