ହାଇଦ୍ରାବାଦ: ସରପ୍ରାଇଜ୍ ଡେଟ୍କୁ ଯିବା ଜଣେ ଯୁବକଙ୍କ ପାଇଁ କାଳ ପାଲଟିଛି । ଭାବୀ ସ୍ୱାମୀକୁ ଚାଲ୍ କରି ଡ଼ାକି ବେକ କାଟି ଦେଲେ ଯୁବତୀ। ବାପାମା’ ଠିକ୍ କରିଥିବା ବର ପସନ୍ଦ ଆସୁ ନଥିବାରୁ ପୁଷ୍ପା ନାମକ ଯୁବତୀ ଘଟାଇଛନ୍ତି ଏମିତି କାଣ୍ଡ। ଏବେ ସରପ୍ରାଇଜ୍ ଡେଟ୍କୁ ଯାଇ ଲହୁଲୁହାଣ ହୋଇଥିବା ଯୁବକ ଜଣଙ୍କ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ଏପରି ଖବର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ରାମୁ ନାଇଡୁ। ସେ ସିଏସଆର୍ରେ ବୈଜ୍ଞାନିକ ଭାବେ କାମ କରନ୍ତି। ଆସନ୍ତାମାସରେ ତାଙ୍କର ବାହାଘର ୨୨ ବର୍ଷୀୟ ପୁଷ୍ପାଙ୍କ ସହ ହେବାର ଥିଲା। ପୁଷ୍କାଙ୍କ ବାପା ମା’ ହିଁ ରାମୁଙ୍କ ସହ ତାଙ୍କର ବାହାଘର ଠିକ୍ କରିଥିଲେ। ହେଲେ ଏଥିରେ ପୁଷ୍ପା ରାଜି ନଥିଲେ। ସେ ବାରମ୍ବାର ବାହାଘର ଭାଙ୍ଗିବା ପାଇଁ ବାପା ମା’ଙ୍କୁ କହିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ତେଣୁ ସେ ରାମୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ପୁଷ୍ପା ଫୋନ କରି ରାମୁଙ୍କୁ ସରପ୍ରାଇଜ ଡେଟରେ ଯିବାକୁ ପ୍ରସ୍ତାବ ଦେଇଥିଲେ। ରାମୁ ମଧ୍ୟ ସରପ୍ରାଇଜ ଡେଟ୍ କଥା ଶୁଣି ଉତ୍ସାହିତ ହୋଇଯାଇଥିଲେ ଓ ପୁଷ୍ପାଙ୍କ କଥାରେ ବିଶାଖାପଟନମର ଚୋଡାଭରମରେ ଥିବା ଗୋଟିଏ ହିଲ ଟପରେ ପହଞ୍ଚିଥିଲେ।
କିନ୍ତୁ ସେ ପୁଷ୍ପାଙ୍କ ଷଡ଼ଯନ୍ତ୍ରକୁ ଆଦୌ ଆକଳନ କରିପାରି ନଥିଲେ। ହିଲ୍ ଟପରେ ଉଭୟ କଥା ହେଉଥିବା ବେଳେ ଘଟିଥିଲା ଅଘଟଣା। ପୁଷ୍ପା ହଠାତ୍ ଧାରୁଆ ଛୁରୀରେ ରାମୁଙ୍କ ବେକକୁ ଆକ୍ରମଣ କରିଥିଲେ। ଏଥିରେ ରାମୁ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଡାକ୍ତରଙ୍କ କହିବା ଅନୁଯାୟୀ, ରାମୁଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ଏହାର ଚିକିତ୍ସା କରାଯାଉଛି। ପୁଲିସ୍ କହିଛି ଯେ ରାମୁଙ୍କୁ ଦେଖା କରିବାକୁ ଯିବା ପୂର୍ବରୁ ପୁଷ୍ପା ୩ଟି ଛୁରୀ କିଣିଥିଲେ। ଏହି ଛୁରୀରେ ହିଁ ସେ ରାମୁଙ୍କୁ ଆକ୍ରମଣ କରିଛନ୍ତି।





