ହାଇଟେକ୍‌ ହସ୍ପିଟାଲ୍‌ ବିସ୍ଫୋରଣ; ଦ୍ଵନ୍ଦ ଦୂର କଲା ଡିଏନ୍‌ଏ ରିପୋର୍ଟ, ତୃତୀୟ ମୃତକ ଜଣକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାଇଟେକ୍‌ ହସ୍ପିଟାଲ୍‌ ଏସି ବିସ୍ଫୋରଣ ଘଟଣାରେ ମୃତ୍ୟୁବରଣ କରିଥିବା ଜ୍ୟୋତିରଞ୍ଜନ ମଲ୍ଲିକ ଓ ଦିଲୀପ ସାମନ୍ତରାୟଙ୍କ ମୃତଦେହକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅନ୍ତ ଘଟିଛି। ମଙ୍ଗଳବାର ଡିଏନ୍‌ଏ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି ଯେ ତୃତୀୟ ମୃତକ ହେଉଛନ୍ତି ଦିଲୀପ। କିନ୍ତୁ ମୃତଦେହ ଗ୍ରହଣ କରିବାକୁ ନେଇ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦିଲୀପଙ୍କ ମା’ ଅହଲ୍ୟା ମଞ୍ଚେଶ୍ବର ଥାନାରେ ଦେଇଥିବା ଏତଲା ପଞ୍ଜୀକୃତ ହୋଇନଥିବାରୁ ମୃତଦେହ ନେବାକୁ ମନା କରି ଥାନା ସାମ୍ନାରେ ଧାରଣାରେ ବସିଥିଲେ। ହସ୍ପିଟାଲ ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ସିଇଓ ଓ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅହଲ୍ୟା ଜିଦି ଧରି ବସିଥିଲେ। ଡାକ୍ତରଖାନାର ଅବହେଳା ଓ ତ୍ରୁଟିରୁ ସେ ପୁଅ ଓ ବୋହୂକୁ ହରାଇଲେ। ତାଙ୍କ ପରିବାର ଛାରଖାର ହୋଇଗଲା। ତେଣୁ ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି ଦାବି କରି ବୃଦ୍ଧା ଅହଲ୍ୟା ଥାନା ବାରଣ୍ଡାରୁ ଉଠିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଧାରଣାରେ ବସିଥିଲେ। ପରେ ପୁଲିସ ଏତଲା ରୁଜୁ କରିବାକୁ ପୁଣି ପ୍ରତିଶ୍ରୁତି ଦେବାରୁ ସେ ଧାରଣା ଭଙ୍ଗ କରିଥିଲେ ଏବଂ ପୁଅ ଦିଲୀପର ମୃତଦେହ ନେବାକୁ ଭୁବନେଶ୍ବର ଏମ୍‌ସ ଯାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୯ ତାରିଖ ଅପରାହ୍ଣରେ ଏହି ଅଘଟଣ ଘଟିଥିଲା। ୪ ଜଣ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୩୧ ତାରିଖ ଦିନ ଦିଲୀପ ମୃତ ବୋଲି ଘୋଷଣା କରାଯାଇଥିଲା। ଏମିତିକି ପରିବାର ଲୋକେ ମୃତଦେହ ନେଇ ଗାଁରେ ସତ୍କାର କରିଥିଲେ। ସ୍ବାମୀଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ତାଙ୍କ ପତ୍ନୀ ସୋନା ୧ ତାରିଖ ଭୋର୍‌ ସମୟରେ ଆତ୍ମହତ୍ୟା କରିଦେଇଥିଲେ। ଗତ ୪ ତାରିଖରେ ଘଟଣା ନୂଆମୋଡ଼ ନେଲା। ଜ୍ୟୋତିରଂଜନ ମଲ୍ଲିକ ବୋଲି ଯାହାକୁ ଚିକିତ୍ସା କରାଯାଉଥିଲା ସେ ନିଜକୁ ଦିଲୀପ ବୋଲି କହିଲେ। ଭେଣ୍ଟିଲେଟର୍‌ରୁ ବାହାରିବା ପରେ ସେ ନିଜକୁ ଦିଲୀପ ବୋଲି ପରିଚୟ ଦେବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ପୁଲିସର ମୁଣ୍ଡ ବିନ୍ଧା ବଢ଼ିଯାଇଥିଲା। ଏହି ଖବର ଦ୍ବାରା ହଠାତ୍‌ ଜ୍ୟୋତିଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇଯାଇଥିଲା। ସେହିଭଳି ବିନା କାରଣରେ ଡାକ୍ତରଖାନାର ଭୁଲ୍‌ ପାଇଁ ଦିଲୀପଙ୍କ ସ୍ତ୍ରୀ ସୋନାଙ୍କ ଆତ୍ମହତ୍ୟା ତାଙ୍କ ପରିବାରର ଦୁଃଖକୁ ବହୁଗୁଣିତ କରିଥିଲା। ଏତିକିବେଳେ ୬ ତାରିଖ ରାତିରେ ଦିଲୀପଙ୍କର ମୃତ୍ୟୁ ହୋଇଗଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ହସ୍ପିଟାଲ୍‌ର ଏଭଳି ଖାମଖିଆଲ ନୀତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ କିନ୍ତୁ ତୃତୀୟ ମୃତଦେହକୁ ଠିକ୍‌ରେ ଚିହ୍ନଟ କରିବାକୁ ଡିଏନ୍‌ଏ ପରୀକ୍ଷା କରାଇଥିଲା।

Related Posts