ମୁମ୍ବାଇରେ ହାଇଆଲର୍ଟ: ଗଣେଶ ଭସାଣି ବେଳେ ବଡ଼ ବିସ୍ଫୋରଣ ନେଇ ଧମକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ହାଇଆଲର୍ଟ । ସହରରେ ପଶିଛନ୍ତି ୧୪ ଆତଙ୍କବାଦୀ। ଗଣେଶପୂଜା ଭସାଣୀ ବେଳେ ଆକ୍ରମଣ କରିବାକୁ ଯୋଜନା। ୪ଶହ କିଲୋ ଆରଡିଏକ୍ସ ୩୪ଟି ଗାଡିରେ ଥିବା ସୂଚନା। ମୁମ୍ବାଇ ପୋଲିସକୁ ଆସିଛି ଆତଙ୍କବାଦୀ ଆସିଥିବା ଖବର। ଅଜଣା ହ୍ୱାଟସଆପରେ ମୁମ୍ବାଇ ପୋଲିସକୁ ମିଳିଛି ସୂଚନା। ଲସ୍କର ଏ ଜିହାଦୀ ଆତଙ୍କବାଦୀ ସଂଗଠନ ନାଁରେ ମ୍ୟାସେଜ ଆସିଛି।ଖବର ମିଳିବା ପରେ ତତ୍ପର ହୋଇଛି ମୁମ୍ବାଇ ପୋଲିସ।

୨୬ /୧୧ ମୁମ୍ବାଇ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ପୁଣି ଆତଙ୍କବାଦୀଙ୍କ ଧମକ ଆସିଛି । ହ୍ୱାଟସଆପରେ ଆକ୍ରମଣ କରିବା ପାଇଁ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପୋଲିସ ପ୍ରଶାସନ ସତର୍କ ହୋଇଯାଇଛି । ୩୪ଟି ଗାଡିରେ ଆତଙ୍କବାଦୀ ବୋମା ରଖିଥିବା କୁହାଯାଇଛି । ଏହା ସହ ସେମାନେ ୪ଶହ କିଲୋ ଆରଡିଏକ୍ସ ଗାଡିରେ ରଖିଛନ୍ତି । ମୁମ୍ବାଇ ପୋଲିସ ହ୍ୱାଟସଆପରେ ଏହି ମ୍ୟାସେଜ ଆସିଛି । ଲସ୍କର ଏ ଜିହାଦୀ ନାଁରେ ଧମକ ଆସିଥିବାରୁ ସମସ୍ତେ ତତ୍ପର ହୋଇଛନ୍ତି ।

ବିଶେଷ କରି ମୁମ୍ବାଇରେ ଚାଲିଥିବା ଗଣେଶ ପୂଜା ଭସାଣୀ ବେଳେ ହମଲା ହେବ ବୋଲି ମ୍ୟାସେଜରେ ଉଲ୍ଲେଖ ରହିଛି । ତେବେ ଆତଙ୍କବାଦୀ କେଉଁ ଗାଡିରେ ଆରଡିଏକ୍ସ ରଖିଛନ୍ତି ଆଉ ଏମାନେ କେଉଁଠି ଲୁଚି ରହିଛନ୍ତି ସେ ବାବଦରେ କିଛି ସୂଚନା ମିଳିନି । ପୂର୍ବରୁ ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଅନେକ ନିରହ ଲୋକଙ୍କ ଜୀବନ ଯାଇଥିଲା । ୧୦ ଜଣ ଆତଙ୍କବାଦୀ ଏକାବେଳେ ୪ ରୁ ୫ଟି ସ୍ଥାନରେ ଆକ୍ରମଣ କରିଥିଲେ । ରେଲୱେ ଷ୍ଟେସନ, ନରିମନ ହାଉସ, ଲିଓପାଡ କାଫେ ଆଦି ସ୍ଥାନରେ ଅଚାନକ ଗୁଲିବର୍ଷା କରିଥିଲେ ।

୧୦ଜଣଙ୍କ ମଧ୍ୟରୁ ଏକମାତ୍ର କସାବକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ସେତେବେଳେ କସାବ ପାକିସ୍ତାନରୁ ଆସିବା କଥା ମାନିବା ସହ ତାଙ୍କର କଣ କଣ ପ୍ଲାନ ଥିଲା ସେ ବାବଦରେ କହିଥିଲା । ତେବେ ସେତେବେଳର ଆକ୍ରମଣଠାରୁ ଏଥର ଆହୁରି ବଡ ଧରଣର ଆକ୍ରମଣ ହେବ ବୋଲି ଚେତାବନୀ ଦିଆଯାଇଛି । ଅନେକ ସମୟରେ ଏମିତି ଫେକ ମ୍ୟାସେଜ ଆସେ, ହେଲେ ଏଥର ଲସ୍କର ଏ ଜିହାଦୀ ନାଁ ଥିବାରୁ ସମସ୍ତେ ତତ୍ପର ହୋଇଛନ୍ତି ।

ଯେଉଁ ନମ୍ବରରୁ ଏହି ମ୍ୟାସେଜ ଆସିଛି ତାକୁ ଗୁରୁତର ସହ ନିଆଯାଇଛି । ଆଉ ଏହା କେତେଦୂର ସତ ତାହାର ଖୋଳତାଡ ଆରମ୍ଭ ହୋଇଛି । ଗଣେଶ ପୂଜା ଭସାଣି ବେଳେ ବହୁ ମାତ୍ରାରେ ଭକ୍ତଙ୍କ ଭିଡ ହୋଇଥାଏ । ଆଉ ଏହି ସମୟରେ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ତେବେ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାର ସତ୍ୟତା ବାହାର କରି ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ହୋଇଛି ।

Related Posts