୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡ୍ ରେ ହାଇକମାଣ୍ଡ: ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ମାଗିଲେ ଇସ୍ତଫା

କଂଗ୍ରେସକୁ ଘାରିଛି ପରାଜୟର ଭୟ । ନିକଟରେ ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ଶିବିରରେ ଭୂକମ୍ପ ସୃଷ୍ଟି ହୋଇଛି । କଂଗ୍ରେସ ନିଜ ସ୍ଥିତି ବା ସ୍ଥାନକୁ ସୃଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି । ଏହାରି ମଧ୍ୟରେ ଉକ୍ତ ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଠାରୁ ଇସ୍ତଫା ମାଗିଛନ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ । ଏନେଇ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଗତ ରବିବାର ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶୋଚନୀୟ ପରାଜୟ ନେଇ ଏକାଧିକ ଘଣ୍ଟା ମାନସମନ୍ଥନ ହେବା ପରେ ଆଜି ଉକ୍ତ ୫ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର କଂଗ୍ରେସ ସଭାପତିଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦଳମୁଖ୍ୟ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ।

ଫଳାଫଳ ନୈରାଶ୍ୟଜନକ ହେବା ପରେ ସମ୍ପୃକ୍ତ ରାଜ୍ୟଗୁଡିକରେ ପିସିସି ପୂର୍ନଗଠନ ହେବାକୁ ଯାଉଛି । ତେବେ ରବିବାର ବସିଥିବା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପରେ ହାଇକମାଣ୍ଡ ସୋନିଆ ଗାନ୍ଧୀ ଦଳମୁଖ୍ୟ ପଦ ଛାଡିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ପରେ ଏପରି କିଛି ହେବା ପରିବର୍ତ୍ତେ ସେ ହିଁ ଦଳମୁଖ୍ୟ ଭାବେ ନେତୃତ୍ବ ବଜାୟ ରଖିବା ନେଇ ସ୍ପଷ୍ଟ ହୋଇଥିଲା ।

Related Posts