ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ବେଞ୍ଚ: କେନ୍ଦ୍ର ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ନେଇ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବେଳେ ଆଜି ଏହି ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି  କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ । ଆଉ ମେଘାଓ୍ବାଲଙ୍କ ବୟାନ ପାରେ କେନ୍ଦ୍ର ସରକାର ଏହି ଦାବି ଉପରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ ଓଡ଼ିଶା ଗସ୍ତରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ଆବଶ୍ୟକତା ନାହିଁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇ କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲରେ ସବୁ ସୁବିଧା ମିଳୁଛି। ଇ କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ। ଇ କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି। ତେଣୁ ହାଇକୋର୍ଟ ବେଞ୍ଚର ଆଉ ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସିବା ବେଳେ ତତ୍କାଳୀନ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ କହିଥିଲେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ରାଜ୍ୟ ସରକାର ଏବଂ ହାଇକୋର୍ଟ କରିବେ। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ।

ବରିଷ୍ଠ ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଠାରୁ ଏକ ଚିଠି ପାଇଥିଲେ ଯେଉଁଥିରେ ରାଜ୍ୟର ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ଉପରେ ସକରାତ୍ନକ ଭାବେ କାମ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ରିଜିଜୁ ମଧ୍ୟ ସ୍ଥାନ, ଭିତ୍ତିଭୂମି ଏବଂ ପାଣ୍ଠି ସମେତ ଆବଶ୍ୟକ ବିବରଣୀ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଉପରେ ଆଲୋକପାତ କରିଥିଲେ।

Related Posts