ଶିଶୁ ଅପପୁଷ୍ଟି ପ୍ରସଂଗରେ ହାଇକୋର୍ଟଙ୍କ ଉଦ୍‌ବେଗ; ୬ ମାସ ମଧ୍ୟରେ ଅପପୁଷ୍ଟି ଦୂର କରିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଶିଶୁ ଅପପୁଷ୍ଟି ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୨୩ ମସିହାରେ ଜଣେ ବି ଶିଶୁ ଅପପୁଷ୍ଟିରେ ମରିବା ଗ୍ରହଣୀୟ ନୁହେଁ। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଶିଶୁ ଅପପୁଷ୍ଟି ସମସ୍ୟା ଦୂର କରିବା ଦିଗରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ର କେତେକ ଗାଁରେ ଶତାଧିକ ଶିଶୁ ଅପପୁଷ୍ଟିର ଶିକାର ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଶୁଣାଣି କରି ଆସୁଥିବା ବେଳେ ଗୁରୁବାର ଏହି ମାମଲାରେ ଏଭଳି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ମାସକ ମଧ୍ୟରେ ୫ଟି ବିଭାଗକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୈଠକରେ ସାମିଲ ହୋଇ ଅପପୁଷ୍ଟି ସମସ୍ୟାର ସମୀକ୍ଷା କରିବେ। ଏହି ବୈଠକରେ ରାଜ୍ୟ ଖାଦ୍ୟ ଆୟୋଗ, ମହିଳା ଆୟୋଗ, ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଚିବମାନେ ମଧ୍ୟ ସାମିଲ ହେବେ। ବୈଠକରେ ଅପପୁଷ୍ଟିଜନିତ ସମସ୍ୟାର ସମାଧାନ ପାଇଁ ନିର୍ଯ୍ୟାସ ବାହାର କରାଯିବ। ଏ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଶିଶୁ ଅପପୁଷ୍ଟି ସମସ୍ୟା ଦୂର କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ବୈଠକର ବିବରଣୀ ସତ୍ୟପାଠ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଆଜି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଯାଜପୁର ଜିଲ୍ଲାପାଳ ଓ ସିଡିଏମ୍‌ଓ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ପକ୍ଷ ରଖିଥିଲେ। ରାଜ୍ୟରେ ମୋଟ ୩୬ଲକ୍ଷ ଶିଶୁଙ୍କ ମଧ୍ୟରୁ ଗତ ଏପ୍ରିଲ ସୁଦ୍ଧା ୨୮୫୪୧ଜଣ ଅତିଶୟ ଅପପୁଷ୍ଟି (ସିଭିୟର ଆକ୍ୟୁଟ ମାଲନିଉଟ୍ରିସନ)ରେ ଆକ୍ରାନ୍ତ ରହିଛନ୍ତି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଯାଜପୁର ଜିଲ୍ଲାରେ ୧.୨୯ ଲକ୍ଷ ଶିଶୁଙ୍କ ମଧ୍ୟରୁ ୦.୭୮ ପ୍ରତିଶତ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ଥିବାବେଳେ ଏହି ହାର ଜାତୀୟସ୍ତରରୁ କମ୍। ଏଥିସହିତ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଶିଶୁ ଅପପୁଷ୍ଟି ଘଟଣା ଚିନ୍ତାଜନକ ଥିବା ଜଣାପଡ଼ିଥିଲା। କେନ୍ଦୁଝରରେ ୨୮୨୦ ଶିଶୁ ଅତିଶୟ ଅପପୁଷ୍ଟି ବର୍ଗରେ ରହିଛନ୍ତି ବୋଲି ଜଣାପଡ଼ିଥିଲା।

ରାଜ୍ୟରେ ପ୍ରାୟ ୩୦ ହଜାର ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ଥିବା ଘଟଣା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି ହାଇକୋର୍ଟ କହିଛନ୍ତି। ଉଭୟ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟିଜନିତ ସମସ୍ୟା ଦୂର ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସୁସ୍ଥ ମହିଳା ଓ ସୁସ୍ଥ ପରିବାର ଥିଲେ ସୁସ୍ଥ ଶିଶୁ ରହିବେ। ଏଭଳି ସ୍ଥିତିରେ ସମସ୍ତଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପ୍ରଦାନ କରି ଅପପୁଷ୍ଟି ସମସ୍ୟା ଦୂର କରିବା ପାଇଁ ହାଇକୋର୍ଟ କହିଛନ୍ତି। ଆଧାର କାର୍ଡ, ପରିଚୟପତ୍ର ବା ମୋବାଇଲ ଫୋନ ନମ୍ବର ନଥିବା କ୍ଷେତ୍ରରେ ମଧ୍ୟ ଯେମିତି କେହି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ନ ହେବେ ତାହା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଜନସ୍ବାର୍ଥ ଆବେଦନର ହାଇକୋର୍ଟ ଶୁଣାଣି କରି ମେ ୧ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଫରାଜ ସୁହେଲ ମାମଲା ପରିଚାଳନା କରୁଛନ୍ତି।

Related Posts