ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ପରୀ ମାମଲାକୁ ନେଇ ୨୦୨୦ରେ ରାଜ୍ୟରେ ହଇଚଇ ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ନିରୀହ ନିଷ୍ପାପ ୫ ବର୍ଷୀୟା ଶିଶୁ କନ୍ୟା ପରୀ। ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ। ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ। ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ ବାପା ଅଶୋକ ସାହୁ।
ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ। ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା। ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ, ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା। ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରିବା ସହ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଅଭିଯୁକ୍ତକୁ ଠାବ କରିଥିଲା କ୍ରାଇମବ୍ରାଞ୍ଚ । ୩୧ ଜଣ ସାକ୍ଷୀ ଓ ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ । ରାୟ ଶୁଣାଣି ପୂର୍ବରୁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଛି । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ ।





