ଶରଦ ପାୱାର୍‌ଙ୍କ ବିରୋଧରେ ଟୁଇଟ୍‌ କରିବା ପାଇଁ ରାହୁଲ୍‌ ଗାନ୍ଧୀଙ୍କୁ ଚାଲେଞ୍ଜ୍‌ କଲେ ହିମନ୍ତ ବିଶ୍ବ ଶର୍ମା

ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): ଅଳ୍ପ ଦିନ ପୂର୍ବେ ଆଦାନି ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନିଙ୍କ ସହିତ ସାକ୍ଷାତ କରିଥିବା ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଶରଦ ପାୱାର୍‌ଙ୍କ ବିରୋଧରେ ଟୁଇଟ୍‌ କରିବା ପାଇଁ ବୁଧବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ଚାଲେଞ୍ଜ୍‌ କରିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ‘ରିପବ୍ଲିକ୍‌ ସମିଟ୍‌ ୨୦୨୩’ର ତୃତୀୟ ସଂସ୍କରଣରେ ଉଦ୍‌ବୋଧନ ଦେବା ବେଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ରାହୁଲ୍‌ ଗାନ୍ଧୀ ଟୁଇଟ୍‌ କଲେ ଯେ, ଆମେ ଆଦାନିଙ୍କ ବନ୍ଧୁ। କିନ୍ତୁ, ମୁଁ ଆଦାନିଙ୍କୁ ଜାଣେ ନାହିଁ। ଆଦାନି, ଅମ୍ବାନୀ, ଟାଟା ଭଳି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବାକୁ ଉତ୍ତରପୂର୍ବ ଜନସାଧାରଣଙ୍କୁ ବହୁ ଦିନ ଲାଗିବ। ସେ ଯାହା ହେଉ, ଆ‌ମେ ସେମାନଙ୍କ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରୁଛୁ। କିନ୍ତୁ, ମୁଁ ଚାଲେଞ୍ଜ୍‌ କରୁଛି, ଶରଦ ପାୱାର୍‌ଙ୍କ ବିରୋଧରେ ଟୁଇଟ୍‌ କରିବା ଲାଗି ରାହୁଲ୍‌ ଗାନ୍ଧୀଙ୍କର ସାହସ ଅଛି ତ? ଆଦାନିଙ୍କ ସହିତ ପାୱାର୍‌ଜୀଙ୍କର କି ସମ୍ପର୍କ, ତାହା ସେ ପଚାରି ପାରିବେ କି ? ତେଣୁ, ଏହାହିଁ ହେଉଛି ସୁବିଧାବାଦୀ ରାଜନୀତି।

ସେ ପୁଣି ମଧ୍ୟ କହିଛନ୍ତି, ଆପଣ ‘ବିଜେପି’ ଓ ଆଦାନିଙ୍କ ପ୍ରସଙ୍ଗରେ ଯାହା ନାହିଁ ତାହା ଟୁଇଟ୍‌ କରି ପକାଉଛନ୍ତି। କିନ୍ତୁ, ଗ‌ୌତମ ଆଦାନି ଶରଦ ପାୱାର୍‌ଙ୍କ ଘରକୁ ଯାଇ ୨-୩ ଘଣ୍ଟା ଅତିବାହିତ କଲେ। ରାହୁଲ୍‌ ଗାନ୍ଧୀ କାହିଁକି କିଛି ଟୁଇଟ୍‌ କଲେନାହିଁ। ଅବଶ୍ୟ ଆଦାନିଜୀଙ୍କର ଶରଦ ପାୱାର୍‌ଙ୍କ ସହିତ ଦେଖାସାକ୍ଷାତରେ ମୋର କୌଣସି ସମସ୍ୟା ନାହିଁ।

ସୂଚନାଯୋଗ୍ୟ ଯେ, ରାହୁଲ୍‌ ଗାନ୍ଧୀ ନିକଟ ଅତୀତରେ କରିଥିବା ଟୁଇଟ୍‌ରେ ହିମନ୍ତ ବିଶ୍ବ ଶର୍ମା, ଗୁଲାମ ନବୀ ଆଜାଦ୍‌ଙ୍କ ଭଳି ପୂର୍ବତନ କଂଗ୍ରେସ ନେତାମାନଙ୍କର ଆଦାନିଙ୍କ ସହିତ ସମ୍ପର୍କ ଥିବା କଥା ଦର୍ଶାଇ ଲେଖିଥିଲେ, ସେମାନେ ସତ ଲୁଚାଉଥିବାରୁ ସବୁଦିନ ଲୋକଙ୍କୁ ବିଭ୍ରାନ୍ତ କରାଉଛନ୍ତି ବୋଲି କହିଥିଲେ। ଏହି ଟୁଇଟ୍‌ ପାଇଁ ରାହୁଲ୍‌ଙ୍କ ନାଁରେ ମାନହାନି ମାମଲା କରିବେ ବୋଲି ହିମନ୍ତ ବିଶ୍ବ ଶର୍ମା ସତର୍କ କରାଇ ଦେଇଥିଲେ।

ସେପଟେ ଶରଦ ପାୱାରଙ୍କ ବିରୋଧରେ ହିମନ୍ତ ବିଶ୍ବ ଶର୍ମା ଟୁଇଟ କରିବାକୁ ରାହୁଲ ଗାନ୍ଧୀଙ୍କୁ ଆହ୍ବାନ ଦେଇଥିବା ବେଳେ ଏନେଇ ରାହୁଲଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Related Posts