୧୦ ହାଜର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ଧରାପଡିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲାବେଳେ ଧରିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଟ୍ରାପରେ ପଡିଥିବା ଏହି ଶିକ୍ଷାଧିକାରୀ ଜଣକ ହେଉଛନ୍ତି ଶାନ୍ତନୁ କୁମାର ମଲ୍ଲିକ । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି । ଏହାପରେ ଭିଜିଲାନ୍ସ ପକ୍ଷରୁ ବିଇଓଙ୍କ ତିନୋଟି ଘରେ ଏକକାଳୀନ ଚଢ଼ଉ କରାଯାଉଥିବା ଜଣାଯାଇଛି।

ବିଇଓ ଶାନ୍ତନୁ କୁମାର ମଲ୍ଲିକ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଦ୍ୱେତ ତାଙ୍କର କାମ ପାଇଁ ବାରମ୍ବାର ଶାନ୍ତନୁଙ୍କ ପାଖକୁ ଯାଉଥିଲେ । ତାଙ୍କର କାମ କରିଦେବା ପାଇଁ ସେ ଏହି ଟଙ୍କା ଲାଞ୍ଚ ଆକାରରେ ନେଉଥିବା ଅଦ୍ୱୈତ ଅଭିଯୋଗ କରିଛନ୍ତି। ଏପରିକି ଶାନ୍ତନୁ ତାଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏ ନେଇ ସେ ଭିଜିଲାନ୍ସରେ ଆଗରୁ ଅଭିଯୋଗ କରିଥିଲେ । କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ୍‌ ଯୋଜନା ମୁତାବକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଛପିକି ରହିଥିଲେ। ଆଜି ସକାଳେ ବିଇଓ ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡି ବସିଥିଲେ । ପୂର୍ବରୁ ମଧ୍ୟ ଲାଞ୍ଚ ନେଉଥିବା ନେଇ ଶାନ୍ତୁନଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ଆଜି ରେଡ ହାଣ୍ଡରେ ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଶାନ୍ତନୁଙ୍କର ଭଦ୍ରକ ସ୍ଥିତ ନିଜ ଘର, ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଖଜୁରିଆକଟା ଭଡ଼ା ଘରେ ରେଡ ଚାଲିଛି।

Related Posts