ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ପୁରୁଷ ହକି ବିଶ୍ବକପ୍ରେ ରବିବାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ୦-୦ରେ ଡ୍ର’ ରହିଛି। ଫଳରେ ଭାରତର ସିଧାସଳଖ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ପଥରେ ବ୍ରେକ ଲାଗିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ଜିତିଥିଲେ ହର୍ମନପ୍ରୀତ୍ଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଯିବା ସମ୍ଭାବନା ଥିଲା। ଏବେ ଏହି ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ପରବର୍ତ୍ତୀ ମ୍ୟାଚ୍ରେ ବୃହତ୍ ବିଜୟ ଲାଭ କରିବାକୁ ହେବ।
ରବିବାର ଗୋଲ୍ଶୂନ୍ୟ ଡ୍ର’ ପରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ପୁଲ୍ ‘ଡି’ ପଏଣ୍ଟ ସ୍ଥିତିରେ ସମାନ ୪ ପଏଣ୍ଟ୍ରେ ଅଛନ୍ତି। ଗୋଲ୍ ବ୍ୟବଧାନରେ ଇଂଲଣ୍ଡ ଆଗୁଆ ରହିଛି। ଇଂଲଣ୍ଡ ତା’ର ୱେଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୫-୦ ଗୋଲ୍ରେ ଜିତିଥିଲା। ଅପରପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ୨-୦ ଗୋଲ୍ରେ ସ୍ପେନ୍କୁ ହରାଇଥିଲା।
ତେବେ ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଇଂଲଣ୍ଡ ସ୍ପେନ୍ ସହ ଖେଳିବ ଏବଂ ଭାରତ ତା’ର ଶେଷ ମ୍ୟାଚ୍ରେ ୱେଲ୍ସକୁ ଭେଟିବ। ୱେଲ୍ସକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଭାରତ ପୁଲ-ଡି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିପାରିବ। ନଚେତ୍ ସମାନ ପଏଣ୍ଟ୍ ସତ୍ତ୍ବେ ଗ୍ରୁପ୍ର ଶୀର୍ଷ ସ୍ଥାନରୁ ବଞ୍ଚିତ ରହି କ୍ରସ୍ଓଭର୍ ଖେଳି କ୍ବାର୍ଟରଫାଇନାଲକୁ ଉନ୍ନୀତ ହେବାକୁ ପଡ଼ିବ। ଇଂଲଣ୍ଡ ଯଦି ଶେଷ ଲିଗ୍ରେ ସ୍ପେନଠୁ ହାରିଯିବ ତେବେ ଭାରତକୁ ସାଧାରଣ ବିଜୟ ବି କ୍ବାର୍ଟରଫାଇନାଲ୍ ନେଇପାରିବ। ଅନ୍ୟପଟେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସ୍ପେନ୍ ଜିତି କ୍ବାର୍ଟରଫାଇନାଲ୍ ଅଶାକୁ ଉଜ୍ଜୀବିତ ରଖିଛି। ଏହି ଦଳଠୁ ୧-୫ ଗୋଲ୍ରେ ହାରିଥିବା ୱେଲ୍ସ ଦୁଇଟି ପରାଜୟ ବରଣ କରିଛି। ଫଳରେ ଏହି ଦଳର ନକ୍ଆଉଟ୍ ଖେଳିବା ଆଶା ପ୍ରାୟ ନାହିଁ।
ସୂଚନାଯୋଗ୍ୟ, ୪ଟି ଯାକ ଗ୍ରୁପ୍ର ଶୀର୍ଷ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବେ। ଗ୍ରୁପ୍ର ଶେଷ ଦଳ ବିଦାୟ ନେଇଯିବେ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ଅନ୍ୟ ଗ୍ରୁପ୍ ସହ କ୍ରସ୍ ଓଭର ଖେଳି କ୍ବାର୍ଟରଫାଇନାଲ୍ ଯିବାର ସୁଯୋଗ ପାଇବେ।





