ଇସ୍ତଫା ଦେଲେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମାନ ଘଟଣା କିଛି ଦିନ ପୂର୍ବରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ରାସ୍ତାକୁ ଅବଲମ୍ବନ କରି ନିଜର ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କର ଇସ୍ତଫା ମାଗିଛନ୍ତି । ଏହା ମଧ୍ୟରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେବାର କଥା ସାମ୍ନାକୁ ଆସିଛି । ବିଗତ କିଛି ଦିନ ଧରି ସେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କୌଣସି ବିକାଶମୂଳକ କାର୍ଯ୍ୟକୁ ନେଇ ନୁହଁ ବରଂ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ବେଶ ଚର୍ଚ୍ଚାରେ ଥିଲେ । ଅନ୍ୟପଟେ ବାରମ୍ବାର ମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସୁଥିବା ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଦ୍ରଷ୍ଟା ପାଲଟିଛନ୍ତି, ସେନେଇ ଅନେକ ପ୍ରଶ୍ନ ଉଠୁଥିଲା ।

କାହିଁକିନା ମୁଖ୍ୟମନ୍ତ୍ରୀଙ୍କ ଆମେ ଯଦି ଟ୍ରାକ ରେକର୍ଡ ଦେଖିବା ତାହାଲେ ନିଜ ମନ୍ତ୍ରୀମଣ୍ଡଳରେ କୌଣସି ମନ୍ତ୍ରୀ ବିବାଦୀୟ ହେଲେ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଦେଉଥିଲେ । ହେଲେ ଦିବ୍ୟଶଙ୍କର ମିଶ୍ରଙ୍କ କ୍ଷେତ୍ରରେ ତାହା ହୋଇନଥିଲା । ତେଣୁ ଏନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ସେପଟେ ଦିବ୍ୟଶଙ୍କର ମିଶ୍ରଙ୍କ ପରେ ଆଉ ଜଣେ ବିବାଦିତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ଅଶୋକ ପଣ୍ଡା, ରଘୁନନ୍ଦନ ଦାସ, ବିକ୍ରଶ କେଶରୀ, ଟୁକୁନି ସାହୁ, ସମୀର ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରେମାନନ୍ଦ ନାଏକ, ପ୍ରଫୁଲ୍ଲ ମଲ୍ଲିକ, କ୍ରିଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସହ ମନ୍ତ୍ରୀମଣ୍ଡଳର ୨୧ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ବର୍ତ୍ତମାନ ଦେଖିବାର ବିଷୟ ମୁଖ୍ୟମନ୍ତ୍ରୀ ନୂତନ ଭାବେ ନିଜ ମନ୍ତ୍ରୀମଣ୍ଡଳରେ କେଉଁ ନେତାଙ୍କୁ ସ୍ଥାନ ଦେଉଛନ୍ତି ।

Related Posts