(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ ମର୍ଡର ଏବଂ ମରୁଡ଼ି ପ୍ରସଙ୍ଗରେ ବିଧାନସଭା ଅଚଳ । ବିରୋଧୀ ବିଜେପି ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଏହାକୁ ନେଇ ବିଧାନସଭାରେ ହୋହାଲ୍ଲା ଓ ହଙ୍ଗାମା ଦେଖାଦେଇଥିଲା । ଗୃହକାର୍ଯ୍ୟ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲେ ମଧ୍ୟ ସେଥିରୁ କିଛି ବି ସୁଫଳ ମିଳି ନଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଅପରାହ୍ଣ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ସର୍ବଦଳୀୟ ବୈଠକରେ ମରୁଡି ପ୍ରସଙ୍ଗରେ ସରକାର ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସର୍ବଦଳୀୟ ବୈଠକ ପରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଫଳରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ସୂଚନାଯୋଗ୍ୟ, ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ବତୀୟ ଦିନରେ ବି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ତେଣୁ ପ୍ରଥମେ ଦିନ ୧୧ଟା ୩୦ ମିନିଟ୍ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସେ ଗୃହକାର୍ଯ୍ୟକୁ ସ୍ବାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡକାଇଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ପରେ ପୁଣି ବିଜେପି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାନ ଜେନାଙ୍କ ଇସ୍ତଫା ଓ ମରୁଡ଼ି ପ୍ରସଙ୍ଗ ଉଠାଇଥିଲେ।





