ଦୁର୍ଘଟଣା ପରେ କିପରି ଅଛନ୍ତି ଋଷଭ ପନ୍ତ?, ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଲା ବିସିସିଆଇ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏବେ ସେ ବିପଦ ମୁକ୍ତ ଅଛନ୍ତି। ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି। ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଉତ୍ତରାଖଣ୍ଡ ସରକାର ବହନ କରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଛନ୍ତି। ସେପଟେ ବିସିସିଆଇର ସମ୍ପାଦକ ଜୟ ଶାହ ମଧ୍ୟ ଦୁର୍ଘଟଣା ପରେ ପନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ଏଥିସହ ସବୁଠୁ ଭଲ ଚିକିତ୍ସା ପାଇଁ ବିସିସିଆଇ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି।

ଏସବୁ ଭିତରେ ବିସିସିଆଇ ପକ୍ଷରୁ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଆଜି ଭୋର ୫ଟା ୨୧ ମିନିଟରେ ପନ୍ତଙ୍କ ମର୍ସିଡିଜ୍‌ କାର ଡିଭାଇଡରରେ ମାଡ଼ ହୋଇ ଜଳି ଯାଇଛି। ପନ୍ତ ଠିକଣା ସମୟରେ କାର୍‌ର କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିବାରୁ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ଏହି ଦୁର୍ଘଟଣା ଯୋଗୁ ତାଙ୍କ କପାଳରେ ଆଘାତ ଲାଗିଛି। ଲିଗାମେଣ୍ଟ ସମସ୍ୟାରେ ସେ ପଡ଼ିଥିବା ବେଳେ ପିଠି ଓ ହାତ କ୍ଷତିଗ୍ରସ୍ତ ହୋଇଥିବା ବିସିସିଆଇ କହିଛି।

ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଋଷଭ ପନ୍ତଙ୍କ ମୁଣ୍ଡରେ ଦୁଇଟି ଷ୍ଟିଜ୍‌ ପଡ଼ିଛି। ତାଙ୍କ ଡାହାଣ ଆଣ୍ଠୁରେ ଗୋଟିଏ ଲିଗାମେଣ୍ଟ ଟିୟର ସୃଷ୍ଟି ହୋଇଛି। ଡାହାଣ ହାତର ରିଷ୍ଟ, ଗୋଇଠି ଓ ପିଠିରେ ମଧ୍ୟ ଆଘାତ ଲାଗିଛି। ତାଙ୍କ ପିଠିରେ ଅନେକ କ୍ଷତ ଚିହ୍ନ ରହିଛି। ଏବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଓ ସେ ଚେତାଶୂନ୍ୟ ନାହାନ୍ତି। ମାକ୍ସ ହସ୍ପିଟାଲରେ ତାଙ୍କର ଏମଆରଆଇ ସ୍କାନ କରାଯାଇ ଆହତ ସମସ୍ୟା କେତେ ଗୁରୁତର, ତା’ର ଅନୁଧ୍ୟାନ କରାଯିବ ବୋଲି ବିସିସିଆଇ କହିଛି।

ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରୁ ପନ୍ତଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପନ୍ତ ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଛିଡ଼ା ହୋଇଛନ୍ତି। ତାଙ୍କୁ କିଛି ଲୋକ ରାସ୍ତା କଡ଼ରୁ ଉଦ୍ଧାର କରି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହ ହସ୍ପିଟାଲ ନେଇଥିଲେ। ପନ୍ତ ରାସ୍ତା କଡ଼ରେ ରକ୍ତାକ୍ତ ହୋଇ ଛିଡ଼ା ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱରେ ତାଙ୍କ କାର୍‌ ଜଳୁଥିବା ଦୃଶ୍ୟ ସାମ୍ନାକୁ ଆସିଥିବା ଭିଡିଓରେ ରହିଛି।

Related Posts