‘ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା?’: ବିଜେଡିକୁ ସୌମ୍ୟଙ୍କ ତେରେଛା ବାଣ

ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ବାରମ୍ବାର ନିଜ ଦଳକୁ ଟାର୍ଗେଟ କରି ଆସୁଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ବିଜେଡିକୁ ତେରେଛା ବାଣ ମାରିଛନ୍ତି। ରବିବାର ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ପାରାଦୀପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରିଛନ୍ତି ସୌମ୍ୟ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିନଥିଲେ। ହେଲେ ତାଙ୍କ ନାମରେ ନାମିତ ଦଳ ଯାହା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ୨୨ ବର୍ଷ ହେଲା ଶାସନରେ ରହିଲାଣି ।

୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଆଗକୁ ମଧ୍ୟ ଚାଲିବ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି, ଏ କ୍ଷମତାର ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସେ କହିଛନ୍ତି।

ସୌମ୍ୟ ଆହୁରି କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଷୟରେ କାହାଣୀ ଶୁଣିବାକୁ ଭଲ ଲାଗୁଛି। ହେଲେ ଓଡ଼ିଆରେ ଏକ କଥା ଅଛି ‘ମୋ ଅଜାଙ୍କ ନିଶ ଥିଲା, ହେଲେ ମୋର ତ ନାହିଁ’। ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା? ବିଜୁଙ୍କ ପଟ୍ଟନାୟକଙ୍କ ନିଶ, ସାହସ, ନିର୍ଭିକତା ଓ ସପ୍ନକୁ ନେଇ କେତେ ଦିନ ଗର୍ବ କରିବା? ମୋର ନ ହେଲା ନାହିଁ ମୋ ଅଜାର ନିଶ ଥିଲା। ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ। ଆମେ ଯଦି ତାଙ୍କ ଭଳି ହୋଇପାରିବା ତାହାହେଲେ ତାଙ୍କ ଜନ୍ମଦିନ ପାଳନ କରିବା ଠିକ୍ ହେବ। ଅଜାଙ୍କ ନିଶ ଥିଲା କହି ଗର୍ବ ଅର୍ଜନ କଲେ ତୁମକୁ କେହି ଆଉ ସମ୍ମାନ ଦେବେ ନାହିଁ।

ବିଜୁ ବାବୁଙ୍କର ଦୁଃସାହସ, ବିଜୁ ବାବୁଙ୍କ ସ୍ୱପ୍ନ ଏବଂ ବିଜୁ ବାବୁଙ୍କ ବିଶାଳ ହୃଦୟକୁ ଅଜାଙ୍କ ନିଶ ଭଳି ଅବତାରଣା କରିଛନ୍ତି ସୌମ୍ୟ। ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଦ୍ୱାରା ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୌମ୍ୟ ପଟ୍ଟନାୟକ ଏଭଳି ମନ୍ତବ୍ୟ ରଖିଛନ୍ତି।

ତେବେ ସୌମ୍ୟ ନିଜ ଦଳକୁ ଏଭଳି ବାଣ ମାରିବା ଏହା ପ୍ରଥମ ଘଟଣା ନୁହେଁ। ବାରମ୍ବାର ସେ ଏଭଳି ଟାର୍ଗେଟ କରି ଆସୁଛନ୍ତି । କିଛି ଦିନ ତଳେ କଟକର ଦି ଲ’ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ସେ ପ୍ରଶ୍ନ ଉଠାଇଥିଲେ। ମନ୍ତ୍ରୀ ଓ ସଚିବ ମାନଙ୍କ ମଧ୍ୟରେ କିଏ ଅଧିକ କ୍ଷମତାଶାଳୀ ତାକୁ ନେଇ ବିତର୍କ ଚାଲିଛି । ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି କହି ଟାର୍ଗେଟ କରିଥିଲେ ସୌମ୍ୟ।

Related Posts