ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ । ଆଉ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ଏବେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି। ଗେହଲଟ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବାପାଇଁ ଚିନ୍ତା କରୁଛନ୍ତି କିନ୍ତୁ ଏହି ପଦବି ତାଙ୍କୁ ଛାଡ଼ୁନାହିଁ।
ଗେହଲଟ ଆହୁରି କହିଛନ୍ତି ଯେ, ଦଳୀୟ ନେତୃବୃନ୍ଦଙ୍କ ନିଷ୍ପତ୍ତି ଅନୁଯାୟୀ ସେ ଏହି ପଦରେ ବସିଛନ୍ତି। ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ଦ୍ବାରା ସେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ଆଦୌ ଛୋଟିଆ କଥା ନୁହେଁ। ଜୟପୁର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଗେହଲଟ ଆଉ ଗୋଟିଏ କାର୍ଯ୍ୟକାଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ନୂଆ ସଶକ୍ତ ରାଜସ୍ଥାନ ପାଇଁ ସେ ଦେଖିଥିବା ସ୍ବପ୍ନ ୨୦୩୦ ସୁଦ୍ଧା ପୂରଣ ହେବ। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଯୋଗାଣ କ୍ଷେତ୍ରରେ ଆରମ୍ଭ ହୋଇଥିବା କ୍ରାନ୍ତି ଆଗକୁ ବଢିବା ଉଚିତ୍ ନୁହଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ୨୦୧୮ରେ କଂଗ୍ରେସ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରଠାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଗେହଲଟଙ୍କ ଏଭଳି ବୟାନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।





