‘ମୁଁ ନିର୍ଦ୍ଦୋଷ, ଅପରାଧୀଙ୍କ ଭଳି ଇସ୍ତଫା ଦେବିନାହିଁ’; ଦୁଇଟି ମାମଲା ରୁଜୁ ହେବାପରେ ବ୍ରିଜ ଭୂଷଣଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଶେଷରେ ରୁଜୁ ହୋଇଛି ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଶୁକ୍ରବାର ୨ଟି ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। ମାମଲା ରୁଜୁ ପରେ ବ୍ରିଜ ଭୂଷଣ ଶରଣ ସିଂହ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ରେସଲରଙ୍କ ଦ୍ବାରା ଲଗାଯାଇଥିବା ସବୁ ଅଭିଯୋଗ ମିଥ୍ୟା। ମୋତେ ଜନତାଙ୍କ କାରଣରୁ ଏହି ପଦ ମିଳିଛି। ସେ ପ୍ରଶ୍ନ ପଚାରିଛନ୍ତି ଏହା ଖେଳାଳିଙ୍କ ଧାରଣା ନୁହେଁ, ମୁଁ ତ କେବଳ ବାହାନା, ଟାର୍ଗେଟରେ ଆଉ କେହି ଅଛନ୍ତି। ସୁପ୍ରିମକୋର୍ଟଙ୍କ ଉପରେ କେହି ନୁହେଁ ବୋଲି ସେ କହିଛନ୍ତି।

ବ୍ରିଜ ଭୂଷଣ ଆହୁରି କହିଛନ୍ତି, ଯଦି ଏହି ରେସଲରଙ୍କ ପୁରୁଣା ବୟାନ ଦେଖିବା ତେବେ ଜାନୁଆରୀରେ ସେମାନେ ଦାବି କରିଥିଲେ ବ୍ରିଜ ଭୂଷଣ ନିଜ ପଦରୁ ଇସ୍ତଫା ଦିଅନ୍ତୁ.। ଇସ୍ତଫା ଦେବା କୌଣସି ବଡ଼ କଥା ନୁହେଁ, କିନ୍ତୁ ଅପରାଧୀ ହୋଇ ଦେବିନି। ମୁଁ ଅପରାଧି ନୁହେଁ, ନିର୍ଦ୍ଦୋଷ।

ସାମ୍ବାଦିକ ସମ୍ମିଳନୀରେ ବ୍ରିଜ ଭୂଷଣ କହିଛନ୍ତି, ପୂର୍ବରୁ ଏହାର ଦାବି ଥିଲା ଯେ ମୋ ନାଁ ରେ ଏଫ୍‌ଆଇଆର କରାଯାଉ। ତାଙ୍କ ଦାବି ସ୍ବୀକାର କରାଗଲା ଓ ଏବେ ଏଫ୍‌ଆଇଆର ମଧ୍ୟ କରାଗଲା। ଏବେ ସେମାନେ କହୁଛନ୍ତି, ମତେ ଜେଲ୍‌ ପଠାଯାଉ, ଏହାସହିତ ସବୁ ପଦରୁ ଇସ୍ତଫା ଦେବାକୁ କହୁଛନ୍ତି। ତେବେ ମୋତେ ଲୋକସଭାରୁ ସାଂସଦ ପଦ ମିଳିଛି ତାହା ଭିନେଶ ଫୋଗାଟ ଦେଇନାହାନ୍ତି, ବଂର ଜନତା ଦେଇଛନ୍ତି। ଥରେ ନୁହେଁ ୬-୬ ଥର ଦେଇଛନ୍ତି। କୁସ୍ତି ସଂଘର ଅଧ୍ୟକ୍ଷ ପଦ ମଧ୍ୟ ସେ ଦେଇନାହାନ୍ତି, ମୁଁ ନିର୍ବାଚନ ଲଢିକି ଜିତିଛି ବୋଲି ସେ କହିଛନ୍ତି।

ଯୌନ ନିର୍ଯ୍ୟାତନ ଅଭିଯୋଗକୁ ନେଇ ଖେଳାଳିଙ୍କ ଉପରେ ପ୍ରଶ୍ନ କରି ବ୍ରିଜଭୂଷଣ କହିଛନ୍ତି, ଗୋଟିଏ ପରିବାର ଓ ଆଖଡା କାହିଁକି ? ହରିୟାଣା, ହିମାଚଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ କିମ୍ବା ଦେଶର ଅନ୍ତ୍ୟ ପ୍ରାନ୍ତର ଖେଳାଳି କାହିଁକି ଅଭିଯୋଗ କରୁନାହାନ୍ତି। କେବଳ ତାଙ୍କ ସହିତ ଯୌନ ନିର୍ଯାତନା କାହିଁକି ହୋଇଛି ? ହରିୟାଣାର ଏକ ପରିବାର ଓ ଗୋଟିଏ ହିଁ ଆଖଡା ବିରୋଧ କରୁଛି, ବଂର ହରିୟାଣାର ୯୦ ପ୍ରତିଶତ ଖେଳାଳି ମୋ ସହିତ ଅଛନ୍ତି। କାରଣ ମୁଁ କାମ କରିଛି। ଇସ୍ତଫା ଦେବା ବଡ କଥା ନୁହେଁ। ମୋର କାର୍ଯ୍ୟକାଳ ପ୍ରାୟ ଶେଷ ହୋଇଯାଇଛି। ସରକାର ୩ ସଦସ୍ୟ ବିଶିଷ୍ଟ କମିଟି ତିଆରି କରିଛନ୍ତି ଓ ଆଗାମୀ ୪୫ ଦିନ ଭିତରେ ନିର୍ବାଚନ ହେବ ଓ ନିର୍ବାଚନ ପରେ ମୋର କାର୍ଯ୍ୟକାଳ ଶେଷ ହୋଇଯିବ ବୋଲି ସେ କହିଛନ୍ତି।

Related Posts