‘ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି.’, କୋର୍ଟ ରୁମ୍‌ରେ ଏଭଳି କହି ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କୋର୍ଟ ରୁମ୍‌ରେ ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓଙ୍କ ଇସ୍ତଫା। ସମସ୍ତଙ୍କ ଆଗରେ ଇସ୍ତଫା ଦେବା ସହ ସେ କହିଲେ, ‘ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।’ ଗତକାଲି ଅର୍ଥାତ ଶୁକ୍ରବାର ସେ ଏପରି କହି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ପଛରେ କ’ଣ କାରଣ ରହିଛି ତାହା ଜଣା ପଡିନି।ତାଙ୍କର ଏହି କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରୋହିତ ଦେଓ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାର୍ଯ୍ୟରତ ଥିଲେ।

ଗତକାଲି କୋର୍ଟ ରୁମ୍‌ରେ ଓକିଲଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଉପସ୍ଥତ ଜଷ୍ଟିସ୍‌ ରୋହିତ ଦେଓ ନିଜ ଇସ୍ତଫା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ସେ ଏପରି କଠୋର ପଦକ୍ଷେପ ନେଇଥିବା କହିଥିଲେ । ତେବେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ତାହା ସ୍ପଷ୍ଟ କରି ନାହାନ୍ତି। ଇସ୍ତଫା ଘୋଷଣା କରିବା ପରେ ଜଷ୍ଟିସ୍‌ ଦେଓ କହିଛନ୍ତି, ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଷ୍ଟିସ୍‌ ଦେଓ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ ଜଜ ଭାବେ ଯୋଗ ଦେଇଥିବା ବେଳେ ୨୦୨୫ରେ ଅବସର ନେଇଥାନ୍ତେ। ଇସ୍ତଫା ଦେବା ପୂର୍ବରୁ ଜଷ୍ଟିସ୍ ଦେଓ ଓକିଲମାନଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ଆପଣମାନଙ୍କୁ ଯଦି କିଛି ଆଘାତ ଦେଇଛି ତେବେ କ୍ଷମା ମାଗୁଛି। ମୁଁ ଆପଣମାନଙ୍କୁ ଏଥିପାଇଁ କଡ଼ା କଥା କହୁଥିଲି, କାରଣ ମୁଁ ଚାହୁଁଥିଲି ଆପଣମାନେ ନିଜ କ୍ୟାରିଅରେ ଆଗକୁ ବଢ଼ନ୍ତୁ,ଦକ୍ଷ ହୁଅନ୍ତୁ। ମୁଁ ବ୍ୟକ୍ତିଗତ ଭାବେ କାହାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନ ଥିଲି, କାରଣ ଆପଣମାନେ ସମସ୍ତେ ମୋ’ ପରିବାର। ଜଷ୍ଟିସ ଦେଓଙ୍କ ନିଷ୍ପତ୍ତିରେ ବିଚଳିତ ହୋଇ ପଡ଼ିଥିବା ତାଙ୍କ ସହଯୋଗୀମାନେ ନିଜ ଇସ୍ତଫା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ, ହେଲେ ଜଷ୍ଟିସ ଦେଓ ତାଙ୍କ ନିଷ୍ପତ୍ତିରେ ଅଟଳ ଥିଲେ।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ଜଷ୍ଟିସ୍ ଦେଓ ୨୦୨୨ରେ ମାଓବାଦୀ ଲିଙ୍କ୍ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ଦୋଷମୁକ୍ତ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ସେ ଜିଏନ୍ ସାଇବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କରି ତାଙ୍କ ଉପରେ ଆଜୀବନ କାରାଦଣ୍ଡକୁ ରଦ୍ଦ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ରାୟକୁ ସ୍ଥଗିତ ରଖି ହାଇକୋର୍ଟର ନାଗପୁର ବେଞ୍ଚକୁ ଏହି ମାମଲାର ପୁନର୍ବାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts