ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ବର୍ତ୍ତମାନ ରୁ ହିଁ ରାଜନୀତି ସରଗରମ ହୋଇଉଠିଛି । ସେପଟେ କିଛିଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା । ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏହା ମଧ୍ୟରେ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି । ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଚାହୁଁ ନାହାନ୍ତି। ସେ ଦଳର କୋର କମିଟିକୁ ତାଙ୍କର ନିଷ୍ପତ୍ତି ପୂର୍ବରୁ ଜଣାଇ ଦେଇଥିବା କହିଛନ୍ତି। ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଅନ୍ନାମଲାଇ କହିଛନ୍ତି, ସେ କୌଣସି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇ ଦେଇଛନ୍ତି। ମୁଁ ପୂର୍ବରୁ କୋର କମିଟିକୁ ଲିଖିତ ଭାବରେ ଜଣାଇଥିଲି ଯେ ମୁଁ କୌଣସି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବି ନାହିଁ। ତେଣୁ, ଏହା ନୁହେଁ ଯେ ମୋତେ ଟିକେଟ୍ ମନା କରାଯାଇଛି। ସତ୍ୟ ହେଉଛି ମୁଁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ।





