ମୋ ପାଖକୁ ବିଜେପିର ସନ୍ଦେଶ ଆସିଛି, ଆପ ଭାଙ୍ଗି ଆମ ଦଳରେ ସାମିଲ ହୁଅ ସବୁ କେସ ବନ୍ଦ୍ କରିଦେବୁ : ମନୀଷ ସିଶୋଡ଼ିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡ଼ିଆଙ୍କ ଘରେ ଅବକାରୀ ନୀତି ଅନିୟମିତତା ମାମଲାରେ ସିବିଆଇ ରେଡ୍ ହୋଇଛି। ଏହା ପରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ ଆଜି ବିଜେପି ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମନୀଷ। ସେ ଦାବି କରିଛନ୍ତି ଯେ ତାଙ୍କ ନିକଟକୁ ବିଜେପି ସନ୍ଦେଶ ପଠାଇଛି କି ଆମ ଆଦମୀ ପାର୍ଟିକୁ ଭାଙ୍ଗି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଯାଅ। ଏପରି କଲେ ତାଙ୍କ ବିରୋଧରେ ଥିବା ସମସ୍ତ ସିବିଆଇ ଓ ଇଡିର କେସ ବନ୍ଦ୍ ହୋଇଯିବ। ମନୀଷ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟର ରେ ସେ ଲେଖିଛନ୍ତି ” ମୋ ନିକଟକୁ ଭାଜପାର ସନ୍ଦେଶ ଆସିଛି -‘ଆପ’ କୁ ଭାଙ୍ଗି ବିଜେପି ରେ ସାମିଲ ହୋଇଯାଅ, ସବୁ ସିବିଆଇ ଓ ଇଡି ର କେସ ବନ୍ଦ୍ କରି ଦେବୁ। ମୋର ବିଜେପିକୁ ଜବାବ୍ – “ମୁଁ ମହାରଣା ପ୍ରତାପଙ୍କ ବଂଶଜ ଅଟେ, ରାଜପୁତ ଅଟେ। ମୁଣ୍ଡ କଟିଯିବାକୁ ଦେବି ମାତ୍ର ଭ୍ରଷ୍ଟାଚାରୀ-ଷଡଯନ୍ତ୍ରକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ମୋ ବିରୁଦ୍ଧରେ ସମସ୍ତ କେସ ମିଛ। ଯାହା କରିବାର ଅଛି କର।”

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ସିବିଆଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡ଼ିଆଙ୍କ ଘରେ ରେଡ୍ କରିଥିଲା। ଏହାପରେ ମନୀଷଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଛି ସିବିଆଇ। ଏସବୁ ଭିତରେ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ଟଣା ଓଟରା ଜାରି ରହିଛି। ଏବେ ମନୀଷ ଙ୍କ ଏଭଳି ଟୁଇଟ ପୁଣି ଚର୍ଚ୍ଚା କୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ଦଳ ତରଫରୁ ଏନେଇ ଜବାବ୍ ଦିଆଯିବ ବୋଲି ଆଶା କରାଯାଉଛି।

Related Posts