ମୁଁ ବିଶ୍ବର ୧ ନମ୍ବର ବ୍ୟାଟ୍ସମ୍ୟାନ୍ ଏବେ ବି ମୋର ବିଶ୍ବାସ ହେଉନି, ସ୍ବପ୍ନ ଭଳି ଲାଗୁଛି: ସୂର୍ଯ୍ୟକୁମାର ଯାଦବ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ଟିମ୍‌ ଇଣ୍ଡିଆର ଧୂଆଁଦାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଏବେ ବିଶ୍ୱର ନମ୍ବର୍‌ ଓ୍ବାନ୍‌ ଟି-ଟ୍ବେଣ୍ଟି ବ୍ୟାଟ୍ସମ୍ୟାନ । ମାତ୍ର ବର୍ଷକ ମଧ୍ୟରେ ନିଆରା ବ୍ୟାଟିଂ ଶୈଳୀ ଏବଂ ବିଚକ୍ଷଣ ଦକ୍ଷତା ପ୍ରଦର୍ଶନ କରି ଏଭଳି ଉପଲବ୍ଧି ହାସଲ କରିପାରିଛନ୍ତି ସୂର୍ଯ୍ୟକୁମାର । କିନ୍ତୁ ଏବେ ବି ତାଙ୍କୁ ବିଶ୍ବାସ ହେଉନାହିଁ ଯେ ସେ ବିଶ୍ବର ଏକ ନମ୍ବର ଟି-ଟ୍ବେଣ୍ଟି ବ୍ୟାଟ୍ସମ୍ୟାନ ।ଏବେ ତାଙ୍କୁ ଏହା ସ୍ବପ୍ନ ଭଳି ଅନୁଭବ ହେଉଛି ବୋଲି ନିଜେ ସୂର୍ଯ୍ୟକୁମାର କହିଛନ୍ତି।

ତେବେ ରେକର୍ଡକୁ ଦେଖିବାକୁ ଗଲେ ୨୦୨୨ ମସିହାରେ ସୂର୍ଯ୍ୟକୁମାର ଯାଦବ ମୋଟ ୩୧ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳି ୧୧୬୪ରନ କରିଛନ୍ତି । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ରହିଛି ୧୮୭.୪୩ । କେବଳ ସେତିକି ନୁହେଁ ଚଳିତ ସିଜିନରେ ୨ଟି ଶତକ ମଧ୍ୟ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଉ ଦୁଇଟି ଯାକ ଶତକ ଭାରତ ବାହାରେ ହାସଲ କରିଛନ୍ତି । ଚଳିତ ବର୍ଷର ଚିତ୍ତାକର୍ଷକ ପ୍ରଦର୍ଶନ କାରଣରୁ ସେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ବ୍ୟାଟିଂ ତାଲିକାର ଶ୍ରେଷ୍ଠ ସ୍ଥାନରେ ରହିଛି ତଥାପି ମୋତେ ସ୍ବପ୍ନ ଭଳି ଲାଗୁଛି । ବର୍ଷେ ପୂର୍ବରୁ କିଛି ନଥିଲା । ଯଦି କେହି ବର୍ଷକ ପୂର୍ବରୁ ଏଭଳି କିଛି କହିଥାନ୍ତେ ତେବେ କିଭଳି ରିଆକ୍ଟ କରିଥାନ୍ତି ମୁଁ ନିଜେ ବି ଜାଣିନାହିଁ’।

୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଆହୁରି କହିଛନ୍ତି ଯେ, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଖେଳିବା ପରଠାରୁ ହିଁ ବେଷ୍ଟ ହେବା ପାଇଁ ଚେଷ୍ଟା କରିଥିଲି । ଏଥିପାଇଁ କଠିନ ପରିଶ୍ରମ ବି କରିଥିଲି । ଏବେ ବିଶ୍ବର ଶ୍ରେଷ୍ଠ ଟି-୨୦ କ୍ରିକେଟର ହୋଇ ବି ମୋତେ ତାହା ସ୍ବପ୍ନ ଭଳି ଲାଗୁଛି ।

ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ବ୍ୟାଟିଂରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ପ୍ରଶ୍ନରେ ସୂର୍ଯ୍ୟ କହିଛନ୍ତି, ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ଯାଏ ବରଂ ଭଲ ପ୍ରଦର୍ଶନ କରିବା ମୋର ମୂଳଲକ୍ଷ୍ୟ । ମୁଁ ସବୁବେଳେ ଦଳ ପାଇଁ ଗେମ୍ ଚେଞ୍ଜର୍‌ ହେବାକୁ ଚାହେଁ ଏବଂ ୩ଟି ଯାକ ଫର୍ମାଟରେ ବ୍ୟାଟିଂ କରିବାକୁ ସବୁବେଳେ ଉତ୍ସାହିତ ଅଟେ।

ସୂର୍ଯ୍ୟକୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ଭାବିବାକୁ ମୁଁ ପସନ୍ଦ କରେ ନାହିଁ । ସେ ଯେକୌଣସି ଫର୍ମାଟ୍‌ ହେଉ ନା କାହିଁକି ପଡିଆ ମଧ୍ୟରେ ବିନା ଚାପରେ ବ୍ୟାଟିଂ କରିବାକୁ ପସନ୍ଦ କରେ । ପଡିଆ ମଧ୍ୟରେ ବ୍ୟାଟିଂ କରିବା ବେଳେ ନିଜେ ଏନଜୟ କରିବା ସହିତ ଗେମ୍‌ ଚେଞ୍ଜର ହେବାକୁ ପ୍ରୟାସ କରିଥାଏ । ଯଦି ୪୦-୫୦ ବଲ ଖେଳି ସେତିକି ରନ୍‌ କରିବାର କ୍ଷମତା ରହିଛି ତେବେ ମୁଁ ଆଦୌ ୧୦୦ ବଲ ଖେଳିବାକୁ ପସନ୍ଦ କରିବିନି।

Related Posts