ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ଆରମ୍ଭ ହେବାକୁ ଯାଉଛି କଂଗ୍ରେସ ଶାସନ। ଦୀର୍ଘ ୪ ଦିନର ଦ୍ବନ୍ଦ୍ବ ଓ ମାନସ ମନ୍ଥନ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଅଙ୍କ ଛିଡିଛି । ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାର ଉମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ସମାରୋହ ହେବ । ହେଲେ ପ୍ରଥମରୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୃଢ ଦାବିଦାର ଥିବା ଡି.କେ ଶିବକୁମାର ଦଳର ବୃହତ୍ତର ସ୍ବାର୍ଥ ପାଇଁ ଏହି ନିଷ୍ପତ୍ତିକୁ ଗ୍ରହଣ କରିଥିବା କହିଛନ୍ତି ।
ଶିବକୁମାର କହିଛନ୍ତି, ‘ଆମେ ରାଜ୍ୟବାସୀଙ୍କ ପ୍ରତି ନିର୍ବାଚନ ପୂର୍ବରୁ ପ୍ରତିଶୃତିବଦ୍ଧ ଥିଲୁ । ଆଗକୁ 2024 ସାଧାରଣ ନିର୍ବାଚନ ମଧ୍ଯ ଅଛି । ତେଣୁ ଦଳର ବୃହତ୍ତର ସ୍ବାର୍ଥ ପାଇଁ ମୁଁ ଏଆଇସିସି ଓ ଗାନ୍ଧୀ ପରିବାରର ପ୍ରସ୍ତାବରେ ସହମତ ହେଲି । ଆମକୁ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ ନିକଟରେ କରିଥିବା ପ୍ରତିଶୃତି ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପଡିବ । ଦଳ ସେମାନଙ୍କୁ କଥା ଦେଇଥିଲା ତାହା ପୂରଣ କରିବାର ସମୟ ଆସିଛି । ତେଣୁ ଦଳର ପ୍ରସ୍ତାବ ଗ୍ରହଣ କରିବାରେ କୌଣସି ସମସ୍ୟା ନାହିଁ।’
ତେବେ ଗତ ୧୩ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିବା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ କସରତ ଆରମ୍ଭ ହୋଇଥିଲା । ବିଜେପିକୁ ହରାଇ ପୂର୍ଣ୍ଣ ବହୁମତରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ଦୁଇ ବରିଷ୍ଠ ନେତା ମଖ୍ୟମନ୍ତ୍ରୀ ଦାବିଦାର ଭାବେ ସାମ୍ନାକୁ ଆସିଥିଲେ । ୧୪ ତାରିଖ ଅପରାହ୍ନରେ ଦଳର ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିଥିଲେ ସୁଦ୍ଧା ସେଥିରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ହାଇକମାଣ୍ଡଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏକ ସଂକଳ୍ପ ପାରିତ କରି ଦାୟିତ୍ବ ନ୍ୟସ୍ତ କରିଥିଲେ ୧୩୫ ଜଣ ନବ ନିର୍ବାଚିତ ବିଧାୟକ । ହେଲେ ଉଭୟ ମୁଖ୍ୟମନ୍ତ୍ରୀ ଆଶାୟୀ ନେତା ନେତା ଦିଲ୍ଲୀ ଗସ୍ତ କରି ପୃଥକ ଭାବେ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ସ୍ପଷ୍ଟତା ଆସିପାରିନଥିଲା ।
ଗତକାଲି ବିଳମ୍ବିତ ରାତିରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଡି.କେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଥିଲା । ପ୍ରଦେଶ କଂଗ୍ରେସର ମୁଖ୍ୟ ଥିବା ଡି.କେ ଦଳୀୟ ନିର୍ଦ୍ଦେଶରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ଅନ୍ୟପଟେ ଦଳୀୟ ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିବା ପରେ ଆଜି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ ହୋଇଛି । ସେପଟେ ଆଜି ସଂଧ୍ୟାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳ ନେତା ଭାବେ ସିଦ୍ଧରମୈୟା ନିର୍ବାଚିତ ହେବା ପରେ ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇବ । ଏହାପରେ ଆସନ୍ତା ୨୦ ତାରିଖରେ ସିଦ୍ଧରମୈୟାଙ୍କ କ୍ୟାବିନେଟ ଶପଥ ଗ୍ରହଣ କରିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।





