ଭୁବନେଶ୍ୱର, ୨୩/୦୬ (ସତ୍ୟପାଠ ବ୍ୟୁରୋ): ନିକଟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ବଦଳିବା ପରେ ଦଳବଳ ନେଇ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ନିଜ ପତ୍ନୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବା ପରେ ତାରା ଅସନ୍ତୁଷ୍ଟ ହୋଇ ଦିଲ୍ଲୀ ଯାଇଥିବା କୁହାଯାଉଥିଲା | ତାରା ଦିଲ୍ଲୀରେ ଦଳର ମହାସଚିବ କେସି ବେଣୁଗୋପାଳଙ୍କୁ ମଧ୍ୟ ଭେଟିଥିଲେ| ହେଲେ ସେଠାରୁ ଫେରିବା ପରେ ବଦଳିଯାଇଛି ତାରାଙ୍କ ମିଜାଜ । ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେ ନେଇ ଆଲୋଚନା ହୋଇଥିବା କଥା ପ୍ରତିକ୍ରିୟାରେ କହିଛନ୍ତି ତାରା । ଏହାସହିତ ନିଜେ ବଞ୍ଚିଲେ ବାପାର ନାଁ ନ୍ୟାୟରେ କେବଳ ଜୟପୁରରେ ସୀମିତ ରହିବି ବୋଲି ତାରା କହିଛନ୍ତି ।
ତାରା ଆହୁରି କହିଛନ୍ତି ଯେ, ହାଇକମାଣ୍ଡଙ୍କ ସହ ଦଳର ସଂଗଠନ କିପରି ପୁନର୍ଗଠନ ହେବ ସେନେଇ ଆଲୋଚନା ହୋଇଛି । ବିଜୁ ଜନତା ଦଳ ଓ ବିଜେପି ଲୋକଙ୍କ ଆସ୍ଥା ହରାଇଲେଣି । ଭୋଟ କାହାକୁ ଦେବେ ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି । କଂଗ୍ରେସକୁ ଭୋଟ ଦେବାକୁ ଇଚ୍ଛା କଲା ବେଳେ ବିଭିନ୍ନ ସମସ୍ୟା ଉଠୁଛି । ସେହି ପ୍ରସଙ୍ଗକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି । ଲୋକେ କଂଗ୍ରେସକୁ ଭୋଟ ଦେବାକୁ ଚାହୁଁଛନ୍ତି, ଆମେ ନେବାର କାର୍ଯ୍ୟକ୍ରମ କରିବାର ଅଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୀନାକ୍ଷୀଙ୍କୁ ପୁନର୍ବାର ସଭାପତି କରିବାକୁ ଦିଲ୍ଲୀ ଯିବା କଥା ମିଥ୍ୟା । ଭୁଲ କଥା ପ୍ରଚାରିତ ହୋଇଛି । ଆମେ ବୁଲିବାକୁ ଯାଇଥିଲୁ । ମୀନାକ୍ଷୀ ବାହିନୀପତିଙ୍କୁ ପୁନର୍ବାର ସଭାପତି କର ବୋଲି କଥା ଉଠି ନାହିଁ । ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କଲେ ବି ଆମେ ଗ୍ରହଣ କରିବୁ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ନୂଆ ଜିଲ୍ଲା ସଭାପତି କରିଥିଲେ ଭଲ ହୋଇଥାନ୍ତା ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ଥିତି ଭଲ ଅଛି । ଜାଣିଶୁଣି କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଦଳ ଓ ଅନ୍ୟ ଦଳର ଲୋକ ମିଳିତ ଭାବେ କରୁଥିବେ । ସମୟ ଆସିଲେ ଜଣାପଡିବ । ଅସହିଷ୍ଣୁ ହୋଇ ମୋତେ ସହି ପାରୁ ନାହାଁନ୍ତି । କୋରାପୁଟରେ କଂଗ୍ରେସ 28ରୁ 13 ଜିଲ୍ଲା ପରିଷଦ ଜିତିଛି । 4ରୁ 2 ଟି ଏନଏସି ଜିତିଛୁ । ଜୟପୁରରେ 5500 ଭୋଟ ରେ କଂଗ୍ରେସ ଜିତିଛି । କୋଟପାଡରେ କଂଗ୍ରେସ ଜିତିଛି । ଯେମିତି ଲଢିବା କଥା ନିର୍ବାଚନ ଲଢିବୁ । ଲଢି ଲଢି ଆସିଛୁ, ଲଢିବୁ । ରାଜ୍ୟ କଥା ଜାଣିନାହିଁ । ଅବିଭକ୍ତ କୋରାପୁଟ କଥା ଜାଣିଛି ।
ସାଂସଦ ଜିତିବା କଥାରେ ତାରା କହିଲେ, କେତେବେଳେ କେଉଁ ପାଣି ଯିବ କଣ କହିହେବ । ଗତଥର ସାଂସଦଙ୍କୁ ବିରୋଧ କରିନଥିଲୁ । ରାୟଗଡାରେ ସାଂସଦ ପଛୁଆ ଥିଲେ । କୋରାପୁଟ ପ୍ଲସ ଦେଲା ଆଉ ସେ ଜିତିଲେ । ଏବେ ବି ପ୍ଲସ ଅଛି । ନିଜେ ବଞ୍ଚିଲେ ବାପାର ନାଁ । କେବଳ ମୁଁ ଜୟପୁରରେ ସୀମିତ ରହିବି । କିଏ ଟିକେଟ ପାଉ ନପାଉ ମୁଣ୍ଡ ଖେଳାଇବାର ନାହିଁ । ହାଇକମାଣ୍ଡଙ୍କୁ ଏହା କହିଛି । ଟିକେଟ ଦେଲେ ଖୁସି । ନଦେଲେ ବି ଖୁସି ବୋଲି ଆଜି ତାରା କହିଛନ୍ତି।





