ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ କରାନଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପଦ୍ମପୁରକୁ ପୂରାଇ ଦେବୁ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁଠିକି ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ।’ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ (ଏଓଏସଭି) ଦେଇଛି ଏହି ଚେତାବନୀ।
ତେବେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ କରିବା ଦାବି ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରି ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଥିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ । ପୁଲିସ ସେମାନଙ୍କୁ ଅଧାବାଟରୁ ଉଠାଇ ନେବା ସହ ଅଣ୍ଡା ଛଡ଼ାଇ ନେଇଥିଲା।
ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଯୋଗୁ କଲେଜ ଗୁଡ଼ିକରେ ବିଜେଡି ଛାତ୍ର ନେତାଙ୍କ ଅରାଜକତା ବଢୁଛି। ଶାସକ ଦଳ ନିର୍ବାଚନ ବଦଳରେ କମିଟି କରି କ୍ୟାମ୍ପସରେ ବିଶୃଙ୍ଖଳା କରୁଛି। ଏହାସହ କଲେଜରେ ଅଧିକ ରାଗିଂ ମଧ୍ୟ ହେଉଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଗତ ୪ବର୍ଷ ହେଲା ଛାତ୍ର ସାଂସଦ ନିର୍ବାଚନ ବନ୍ଦ୍ ରହିଛି। ଏହାର ବିକଳ୍ପ ଭାବରେ କ୍ୟାମ୍ପସ ଗୁଡିକରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରାଯାଇଛି। ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବା ବେଳେ ଏହି କ୍ୟାମ୍ପସ କମିଟି ଗୁଡିକରେ ବିଭିନ୍ନ ଅସାମାଜିକ ଛାତ୍ରଙ୍କୁ ନିଯୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି।





